Odisha Link
Bridging the Missing Links in Odisha

ଧର୍ମେନ୍ଦ୍ରଙ୍କ ଭର୍ଚୁଆଲ ଜନସଭା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଲେ…

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ସରଗରମ ହେଉଛି ଉପନିର୍ବାଚନ ତାତି। ଉପନିର୍ବାଚନ ପାଇଁ ଚାଲିଛି ଛକାପଞ୍ଛା। ଏଥିସହ ଜୋର ଧରିଲାଣି ପ୍ରଚାର କାର୍ଯ୍ୟ। କରୋନା କଟକଣା ମଧ୍ୟରେ ବିଭିନ୍ନ ଦଳର ଦଳୀୟ ପ୍ରାର୍ଥୀ ବିକାଶକୁ ମୁଦ୍ଧା କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଆଉ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ମଧ୍ୟ ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହୁଛନ୍ତି। ଏହାରି ମଧ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରଚାର ଆରମ୍ଭ କରିଛନ୍ତି। ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଧର୍ମେନ୍ଦ୍ର ଏକ ଭର୍ଚୁଆଲ ଜନସଭାକୁ ସମ୍ବୋଧନ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟସେବାରେ କେନ୍ଦ୍ର ସରକାରଙ୍କ ଉଲ୍ଲେଖନୀୟ ଅବଦାନ କଥା କହିବା ସହ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେହିପରି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଉନ୍ନତ ପ୍ରୟୋଗଶାଳାର ଅନ୍ତୁଡ଼ିଶାଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହ ଓଡ଼ିଶାକୁ ମୋଦୀ ସରକାରଙ୍କ ପର୍ଯ୍ୟାପ୍ତ ଆର୍ଥିକ ସହାୟତାକୁ ଦୋହରାଇ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ, ବାହାରେ କାମ କରୁଥିବା ଓଡ଼ିଆ ଭାଇମାନେ ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି। ନିର୍ବାଚନବେଳେ ରାଜ୍ୟ ସରକାର ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି। ୩ଟି ଉପନିର୍ବାଚନ ଗଲାଣି, ସରକାରଙ୍କ କିଛି ପ୍ରତିଶ୍ରୁତି ପାଳନ ହୋଇନି। ଏଠି ଏକ ସମ୍ବେଦନଶୀଳ, ଠକେଇ କରୁଥିବା ସରକାର ଅଛି। କରୋନା ପାଇଁ ପ୍ରଧାନମନ୍ତ୍ରୀ ଟଙ୍କା ପଠାଉଛନ୍ତି, ଏଠି କିନ୍ତୁ ବାଟମାରଣା ହେଉଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହ, ମାମୁଁ ଭଣଜା ଘାଇ କିଏ କରାଇଲା ଏବଂ ଚିଟ ଫଣ୍ଡ ମାଧ୍ୟମରେ ଓଡ଼ିଆ ଲୋକଙ୍କ ପଇସା କିଏ ଖାଇଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିବା ସହ ଉପନିର୍ବାଚନରେ ଏକ ନିର୍ଣ୍ଣାୟକ ବାର୍ତ୍ତା ଦିଆଯାଉ ବୋଲି  କହିଛନ୍ତି ।

 

Comments are closed.