Odisha Link
Bridging the Missing Links in Odisha

ଆଜି ରଥ ନିର୍ମାଣର ସପ୍ତମ ଦିବସ; ଆରମ୍ଭ ହେବ ଚକ ନିର୍ମାଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠୁ ଚଳଚଂଚଳ ପୁରୀ ସହର। ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ଆଜି ରଥ ନିର୍ମାଣର ସପ୍ତମ ଦିବସ। ଶ୍ରୀକ୍ଷେତ୍ରରେ ଶ୍ରୀନଅର ସମ୍ମୁଖରେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥର ୪୨ଟି ତୁମ୍ବରେ ସୂତା ବାଢିଆ କାର୍ଯ୍ୟ ଶେଷ ହୋଇଥିବାବେଳେ ୩୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମାପ୍ତ ହୋଇଛି।

ଏହା ପରେ ବିନ୍ଧରେ ଅର ସଂଯୋଗ ହୋଇ ଚକ ନିର୍ମାଣ କରାଯିବ। ସେପଟେ ଦୋଳ ବେଦି କୋଣରେ ତିନୋଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ଓ ପନ୍ଦାରି ନିର୍ମାଣ କରୁଛନ୍ତି। ଲୁହା ରଡ଼ କାଟି ଶାଳରେ ପକାଇ ଅର କଣ୍ଟା ନିର୍ମାଣ କରାଯାଉଛି। ଛକରେ ଲାଗିବ ୧୬ଟି ଅର ବା ସ୍ପୋକ। ଗୋଟିଏ ଛକ ପାଇଁ ୩୨ଟି ଅରକଣ୍ଟା। ତିନି ରଥର ୪୨ ଗୋଟି ଚକ ପାଇଁ ମୋଟ ୧୩୪୪ ଗୋଟି ଅର କଣ୍ଟା ପ୍ରସ୍ତୁର୍ତ୍ତ କରାଯାଉଛି।

୫ ଇଞ୍ଚ ଲମ୍ବ ୩ ସୂତ ଗୋଲେଇ ମାପର ଅର କଣ୍ଟା ଛୋଟ ଖଣ୍ଡ ଲୁହା ଦଣ୍ଡକୁ ନିଆରେ ପକାଇ ଚିମୁଟାରେ ଧରି ଲୁହା ଧାରଣାରେ ଥୋଇ ହାତୁଡ଼ିରେ ପିଟି ଭାଗ ମାପ କରି କଣ୍ଟା ପ୍ରସ୍ତୁର୍ତ୍ତ କରାଯାଉଛି। ଦୋଳବେଦୀ କୋଣ ଠାରେ ଅସ୍ଥାୟୀ କମାର ଶାଳରେ ଅର କଣ୍ଟା ଓ ପନ୍ଦାରି ନିର୍ମାଣ କରୁଛନ୍ତି ଓଝା ସେବକ। ମହାପ୍ରଭୁଙ୍କ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ନିର୍ଦିଷ୍ଟ ସମୟ ପୂର୍ବରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

Leave A Reply

Your email address will not be published.