ନାଟକର ନାମ କର୍ଣ୍ଣାଟକ, ମେଣ୍ଟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ବେଙ୍ଗାଲୁରୁ: ଭାରତରେ ଏବେ ନାଟକ ଚାଲିଛି। ଆଉ ସେହି ନାଟକର ନାମ କର୍ଣ୍ଣାଟକ। କର୍ଣ୍ଣାଟକ ରାଜନୀତିର ମୋଡ଼ କେତେବେଳେ କେଉଁ ଆଡେ ଯାଉଛି ତାହା ସମସ୍ତଙ୍କୁ ଅଜଣା। ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା କହିଥିଲେ। ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ମେଣ୍ଟ ସରକାର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କର୍ଣ୍ଣାଟକା କଂଗ୍ରେସ ସାଂସଦ ନାସିର ହୁସେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାରରେ ରାଜ୍ୟପାଳ ହସ୍ତକ୍ଷେପ କରି ପାରିବେ ନାହିଁ। ରାଜ୍ୟପାଳ ଏକ ଦଳର ଏଜେଣ୍ଟ ଭାବରେ କାମ କରୁଛନ୍ତି।
ଅପରପକ୍ଷେ ଗତକାଲି ଆସ୍ଥା ଭୋଟ୍ ବା ଫ୍ଲୋର୍ ଟେଷ୍ଟ୍ ପାଇଁ କର୍ଣ୍ଣାଟକା ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା। କିନ୍ତୁ ଭୋଟିଂ ହୋଇ ନଥିଲା। ପ୍ରସ୍ତାବ ଆଗତ ହେବା ପରେ ବାଚସ୍ପତି ରମେଶ କୁମାର ଶୁକ୍ରବାର ଯାଏ ଗୃହକୁ ମୁଲତବି କରି ଦେଇଥିଲେ। ତେବେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ସେମାନେ ଗତକାଲି ରାତିରେ ବିଧାନସଭାରେ ରହିଥିଲେ ଓ ଗୃହ ଭିତରେ ଚଟାଣରେ ଶୋଇଥିଲେ। ମହିଳା ବିଧାୟକ ମାନେ ରାତି ୯ଟାରେ ଘରକୁ ପଳାଇଥିଲେ।
ସୂଚନାଥାଉକି, ରାଜ୍ୟରେ କଂଗ୍ରେସ-ଜେଡିଏସ ସରକାର ରହିଛି। ହେଲେ ଏହି ଦୁଇ ଦଳରୁ ମୋଟ ୧୬ ବିଧାୟକ ଇସ୍ତଫା ଦେଇସାରିଥିବା ବେଳେ ବାଚସ୍ପତି ଇସ୍ତଫା ଗ୍ରହଣ କରି ନାହାନ୍ତି। କିନ୍ତୁ ଏହି ବିଧାୟକ ମାନେ ଗୃହରେ ଅନୁପସ୍ଥିତ ରହୁଥିବାରୁ ମେଣ୍ଟ ସରକାରର ବିଧାୟକ ସଂଖ୍ୟା କମିଯାଇଛି। ବିରୋଧୀ ବିଜେପି ପାଖରେ ଅଧିକ ସଦସ୍ୟ ଥିବାରୁ ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟ୍ରେ ସରକାର ଫେଲ୍ ହେବା ନିଶ୍ଚିତ ବୋଲି କୁହାଯାଉଛି।