ଶୀତରୁ ନାହିଁ ନିସ୍ତାର: ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କୋହଲା ପବନ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାତି ବଢ଼ିବା ସହ କମୁଛି ପାରଦ, ବଢ଼ୁଛି ଶୀତ। ଗତକାଲି ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ଥିଲା। ବିଶେଷ ଭାବେ ଶୀତରେ ଥରୁଛି କନ୍ଧମାଳ। ଗତକାଲି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ଫୁଲବାଣୀରେ ରେକର୍ଡ ହୋଇଛି ୪ ଦଶମିକ ୫ ଡିଗ୍ରୀ ସେଲସିୟସ୍। ସେହିଭଳି ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ରେକର୍ଡ ହୋଇଛି। ଏହା ବ୍ୟତିତ ଅନୁଗୁଳରେ ୬, ଭବାନୀପାଟଣାରେ ୮ ଦଶମିକ ୨ ଏବଂ ଝାରସୁଗୁଡ଼ାରେ ୮ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଛି।
ଆଗାମୀ ଦିନରେ ଶୀତରୁ ନାହିଁ ନିସ୍ତାର। ଆଗାମୀ ୨୪ ଘଣ୍ଟାରେ ଅଧିକ ଶୀତ ହେବାନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ, ନୂଆପଡା, ବରଗଡ, ନବରଙ୍ଗପୁର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାତିର ତାପମାତ୍ରାରେ ଆଗାମୀ ୩ ରୁ ୪ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ରାତିରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।