ପ୍ରତିଦିନ ସ୍କୁଲ ଛାତ୍ରୀଙ୍କୁ ମିଳିବ ୧୦୦ଟଙ୍କା

ଗୌହାଟୀ: ଛାତ୍ରୀଙ୍କ ପାଇଁ ଖୁସି ଖବର। ନିୟମିତ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହିଲେ ମିଳିବ ୧୦୦ ଟଙ୍କା। ଏହି ସୂଚନା ରବିବାର ଦିନ ଆସାମର ଶିବସାଗରଠାରେ ରାଜ୍ୟ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଦେଇଛନ୍ତି।
ଛାତ୍ରୀମାନେ ଯେପରି ନିୟମିତ ସ୍କୁଲ ଆସିବେ ଏବଂ କଲେଜ ଆଦି ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ଉପସ୍ଥାନ ଠିକ୍ ରହିବ, ପାଠ୍ୟ ପୁସ୍ତକ କିଣିବାରେ ଅର୍ଥ ବାଧକ ନହେବ ସେଥିଲାଗି ବ୍ୟାପକ ଯୋଜନା କରିଛନ୍ତି ଆସାମ ସରକାର ।
ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ଯେ ପ୍ରତ୍ୟେକ ଦିନ ସ୍କୁଲ୍ରେ ଉପସ୍ଥିତ ରହୁଥିବା ଛାତ୍ରୀଙ୍କୁ ୧୦୦ଟଙ୍କା ଲେଖାଏଁ ଦିଆଯିବ। ଏହା ସହ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବା ବା ପଢୁଥିବା ଛାତ୍ରଛାତ୍ରୀଙ୍କୁ ବହି କିଣିବା ପାଇଁ ଯଥାକ୍ରମେ ୧୫୦୦ ଏବଂ ୨୦୦୦ଟଙ୍କା ଲେଖାଁଏ ଦିଆଯିବ। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜାନୁଆରୀମାସ ଶେଷ ସୁଦ୍ଧା ଜମାକରିଦିଆଯିବ।
ସେ ଆହୁରି କହିଛନ୍ତି , ଗତ ବର୍ଷ ଠାରୁ ଏହି ଯୋଜନା କରାଯାଇଥିଲା। କିନ୍ତୁ କରୋନା କାରଣରୁ ଏହି ସ୍କିମ୍ର ଆରମ୍ଭ କରାଯାଇ ପାରିନଥିଲା। ସରକାର ଉଭୟ ସ୍କୁଲ ଏବଂ କଲେଜ୍ରେ କ୍ଲାସ୍ କରିବା ପାଇଁ କେବଳ ଛାତ୍ରୀଙ୍କୁ ଏହି ଆର୍ଥିକ ସହାୟତା ଦେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ହିମନ୍ତ କହିଛନ୍ତି।
ଏହାଛଡ଼ା ଗତ ବର୍ଷ ରାଜ୍ୟର ଦ୍ବାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ଆସାମ ସରକାର ଦୁଇଚକିଆ ଯାନ ପ୍ରଦାନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଶିବସାଗର ଟାରେ ଆୟୋଜୀତ କାର୍ଯ୍ୟକ୍ରମରେ ୯୪୮ ଜଣ ଛାତ୍ରୀଙ୍କୁ ସ୍କୁଟର ପ୍ରଦାନ କରିଛନ୍ତି ଶିକ୍ଷାମନ୍ତ୍ରୀ ।
ଏହି ଅବସରରେ ଛାତ୍ରୀ ମାନଙ୍କ ଫାଇଁ ଏକାଧିକ ପ୍ରୋତ୍ସାହନ ଯୋଜନାର ସୂଚନା ଦେଇଛନ୍ତି ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ସେ କହିଛନ୍ତି, ଦ୍ବାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇଥିବା ମୋଟ ୨୨ହଜାର ୨୪୫ ଛାତ୍ରୀଙ୍କୁ ସ୍କୁଟର ପ୍ରଦାନ ଲାଗି ୧୪୪.୩୦ କୋଟି ଟଙ୍କା ବ୍ୟୟଅଟକଳ କରିଛନ୍ତି ରାଜ୍ୟ ସରକାର ।
ତେବେ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନ ଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ସରକାର ଏପରି ଯୋଜନା କରୁଥିବା ଆଲୋଚନା ବେଳେ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କୁ ସମାନ ଦରଜା ସହ କମ୍ ବୟସରେ ଝିଅଙ୍କ ବିବାହକୁ ରୋକିବା ଲାଗି ଆସାମ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ ।