Odisha Link
Bridging the Missing Links in Odisha

ଜବାବ ମାଗୁଛି ଖଣ୍ଡପଡ଼ା: ଅନୁଭବଙ୍କ ସପକ୍ଷରେ ଏକାଠି ହେଲେ ବିଜେଡି କର୍ମୀ, ଦେଖନ୍ତୁ ଭିଡିଓ

ନୟାଗଡ଼: “କିଛି ଦିନ ତଳେ ଖଣ୍ଡପଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା। ତେବେ ଏବେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗୁଛି ଖଣ୍ଡପଡ଼ା। ବିଧାୟକ ଅନୁଭବ ପଟ୍ଟନାୟକଙ୍କର କଣ ଏମିତି ତ୍ରୁଟି ରହିଗଲା ଯେ ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପାଇଁ ମସୁଧା ଚାଲିଛି। ଖଣ୍ଡପଡ଼ାରେ ବିକାଶ ପୁରୁଷ ସାଜିଥିବା ଅନୁଭବ ସାଧାରଣ ଜନତାଙ୍କ ପାଇଁ ଓ ଦଳ ପାଇଁ ଦିନ ରାତି ଏକାକାର କରି କାର୍ଯ୍ୟ କରିଛନ୍ତି। ସେ ଆମ ସହ ପାଞ୍ଚ ବର୍ଷ ଆଗରୁ ଥିଲେ, ପାଞ୍ଚ ବର୍ଷ ଧରି ରହି ଆସିଥିଲେ ଓ ଆଜି ବି ଅଛନ୍ତି। ଅନୁଭବଙ୍କୁ ଯଦି ଟିକେଟ ନମିଳେ ତେବେ ଆମେ ଆଜି ଶପଥ କରୁଛୁ, ତାଙ୍କ ସହ ଯେମିତି ଅଛୁ ସେମିତି ରହିବୁ।”

ଆଜି ଖଣ୍ଡପଡ଼ା ଠାରେ ବିଭିନ୍ନ ପଞ୍ଚାୟତର କର୍ମୀ ଓ ଲୋକ ପ୍ରତିନିଧିମାନେ ଯୋଗଦେଇ ଏଭଳି ଶପଥ ନେଇଛନ୍ତି।  ନିଜେ ଅନୁଭବ ଭୁବନେଶ୍ବରରେ ଟିକେଟ୍‌ ପାଇଁ ଉଦ୍ୟମ ଚଳାଇଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଆଜି ତାଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ବିଜେଡି ସଂଗଠନ।

ମିଳିଥିବା ସୂଚନା ଅନୁଯାୟୀ ଖଣ୍ଡପଡ଼ା ବିଜେଡି କାର୍ଯ୍ୟାଳୟରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ୪୨ ପଞ୍ଚାୟତ ଓ ଏନଏସିର କିଛି କିଛି କର୍ମୀ ଓ ଛାମୁଆ ନେତାଙ୍କ ସମେତ ୧୧ ଜଣ ସରପଞ୍ଚ ଓ ୧୦ ଜଣ ପଞ୍ଚାୟତ ସମିତି ସଦସ୍ୟ ଏକାଠି ହୋଇ ଅନୁଭବଙ୍କ ସପକ୍ଷରେ ନିଜର ମତ ରଖିଛନ୍ତି। ଆଜି ସଂଧ୍ୟାରେ ନିଜେ ଅନୁଭବ ଖଣ୍ଡପଡ଼ା ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ନେତାମାନେ କୌଣସି ବି ପରିସ୍ଥିତିରେ ତାଙ୍କ ପ୍ରତି ସମର୍ଥନ ପ୍ରତ୍ୟାହାର କରିବେ ନାହିଁ ବୋଲି ଶପଥ କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି କଟକ ଲୋକସଭା ଆସନ ପାଇଁ ବିଜେଡି ଭର୍ତୃହରି ମହତାବଙ୍କ ନାମ ଘୋଷଣା କରିବା ପରେ ଖଣ୍ଡପଡ଼ାରୁ ସୌମ୍ୟରଂଜନ ପଟ୍ଟନାୟକ ପ୍ରାର୍ଥୀ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ନବୀନ ନିବାସରେ ଅନୁଭବଙ୍କ ସହ ଏ ସମ୍ପର୍କରେ ଆଜି ଆଲୋଚନା ଜାରି ରହିଥିବା ସୂଚନା ମିଳୁଛି।

Comments are closed.