Odisha Link
Bridging the Missing Links in Odisha

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ ସହ ବୁଝାମଣା!

ନୟାଗଡ଼: ଖଣ୍ଡପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପାଇଁ ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଗତକାଲି ଠାରୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ସେଥିରେ ଭଟ୍ଟା ପଡ଼ିଛି। ଅନୁଭବଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ବୁଝାମଣା କରି ସହଯୋଗ କରିବେ।

ଆଜି ଅପରାହ୍ନରେ ଦୁଇ ନେତା ସୌମ୍ୟରଂଜନ ଓ ଅନୁଭବଙ୍କ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଖଣ୍ଡପଡ଼ାରେ ହେବାକୁ ଥିବା ଏହି ବୈଠକରେ ଯଦି ସନ୍ତୋଷଜନକ ଆଶ୍ବାସନା ମିଳେ ତେବେ ଅନୁଭବ ଦଳ ବିରୋଦରେ ବିଦ୍ରୋହ ନ କରି ବିଜେଡି ପ୍ରାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇବେ।

ସୂଚନାଯୋଗ୍ୟ, ଅନୁଭବଙ୍କୁ ଟିକେଟ ମିଳୁନାହିଁ ଜଣାପଡ଼ିବା ପରେ ଗତକାଲି ବିଜେଡି କର୍ମୀମାନେ ଖଣ୍ଡପଡ଼ାରେ ଏକଯୁଟ ହୋଇ ଅନୁଭବଙ୍କ ସହ ରହିବେ ବୋଲି ଶପଥ କରିଥିଲେ। ପରେ ସଂଧ୍ୟାରେ ଦଳ ଖଣ୍ଡପଡ଼ାର ପ୍ରାର୍ଥୀ ଭାବେ ସୌମ୍ୟରଂଜନଙ୍କ ନାମ ଘୋଷଣା କରିଥିଲା। ଏହା ପରେ ଦଳ ବିରୋଧରେ ଯାଇ ବିଜେଡି କର୍ମୀଙ୍କ ସହଯୋଗରେ ଖଣ୍ଡପଡ଼ାରୁ ସ୍ବାଧୀନ ଭାବେ ଲଢ଼ିବେ ବୋଲି ଅନୁଭବ ଏକପ୍ରକାର ନିଷ୍ପତ୍ତି ନେଇ ସାରିଥିଲେ।

ତେବେ ଅନ୍ୟ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇଦିନ ତଳେ ଉଭୟ ନେତା ଏକାଠି ନବୀନ ନିବାସ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ବୁଝାମଣା ନେଇ ପ୍ରାୟ ନିଷ୍ପତ୍ତି ହୋଇସାରିଛି। ଆଜି ତାହା ଚୂଡ଼ାନ୍ତ ରୂପ ନେବାର ସମ୍ଭାବନା ରହିଛି।

Comments are closed.