Odisha Link
Bridging the Missing Links in Odisha

ରାଜନୀତିରୁ ସନ୍ନ୍ୟାସ ନେବେ ସଂଜୟ, ମହେଶ୍ବର, ସମୀର, ମହାରଥୀ?

ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେବେ ପୁରୀ ଜିଲ୍ଲାର ୫ ବିଜୁ ଜନତା ଦଳ(ବିଜେଡି) ନେତା। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା, ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ନିମାପଡ଼ାର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଏକଥା ଆମେ କହୁନୁ। ଖ‌ୋଦ ଏହି ନେତାମାନେ ଏଭଳି ସର୍ବସାଧାରଣରେ ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି।

୨୦୧୯ ସାଧାରଣ ନିର୍ବାଚନରେ ଏହି ୫ ଜଣ ନିର୍ବାଚନ ଲଢ଼ିଥିବା ବେଳେ ବ୍ରହ୍ମଗିରିରେ ସଂଜୟ ଓ ପୁରୀରେ ମହେଶ୍ବର ପରାଜୟ ବରଣ କରିଛନ୍ତି। ଏହି ଦୁଇ ଆସନ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଖାତାକୁ ଯାଇଛି। ଜିଲ୍ଲାର ଅନ୍ୟ ୪ ଆସନ ପିପିଲି, ନିମାପଡ଼ା, କାକଟପୁର ଓ ସତ୍ୟବାଦୀରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀ ସଂଜୟଙ୍କୁ ହରାଇ ବିଜୟୀ ହୋଇଛନ୍ତି ଦିବଂଗତ ଲଲାଟେନ୍ଦୁଙ୍କ ଭାଇ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ସେହିପରି ପୁରୀରେ ଏକଦା ମହେଶ୍ବରଙ୍କ ଘନିଷ୍ଠ ଥିବା ପୂର୍ବତନ ମୁନିସିପାଲିଟି ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀ ବିଜେପି ପ୍ରାର୍ଥୀ ହୋଇ ଗୁରୁଙ୍କୁ ପରାଜୟ ଚଖାଇଛନ୍ତି।

୨୦୧୭ ମସିହା ଜୁଲାଇ ୯ ତାରିଖରେ ପିପିଲି ଠାରେ ପିପିଲି ବ୍ଲକ ଓ ପିପିଲି ଏନଏସି ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ତତକାଳୀଳ ବିଜେଡି ବିଧାୟକ ସଂଜୟ, ମହେଶ୍ବର, ମହାରଥୀ ଓ ସମୀରଙ୍କ ସମେତ ବିଜେଡିରେ ଯୋଗଦେଇଥିବା ସେତେବେଳର ସ୍ବାଧୀନ ବିଧାୟକ ଉମାକାନ୍ତ ଉପସ୍ଥିତ ଥିଲେ। କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମୃତ୍ୟୁ ପରେ ସେତେବେଳକୁ ପୁରୀ ଜିଲ୍ଲାରେ ବିଜେପି ଧୀରେ ଧୀରେ କାୟାବିସ୍ତାର କରୁଥିବା ବେଳେ ଏହି ଜାତୀୟ ଦଳକୁ ଜିଲ୍ଲାରେ ଧରାଶୟୀ କରିବା ଲାଗି କାର୍ଯ୍ୟକାରିଣୀରେ ଖସଡ଼ା ପ୍ରସ୍ତୁତ ହୋଇଥିଲା।

ବିଜେପି ପୁରୀ ଜିଲ୍ଲାର କୌଣସି ଆସନରେ ଜିତି ପାରିବନାହିଁ ବୋଲି ବିଧାୟକମାନେ ଦୃଢ଼ୋକ୍ତି ବାଢ଼ିଥିଲେ। ଯଦି ବିଜେପି ଜିଲ୍ଲାରୁ ଗୋଟିଏ ବି ଆସନ ଜିତେ ତେବେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ବିଧାୟକମାନେ ସେତେବେଳେ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ବୋଲି ସେତେବେଳେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ନିକଟ ନିର୍ବାଚନରେ ବିଜେପି ପୁରୀ ଓ ବ୍ରହ୍ମଗିରି ଭଳି ଦୁଇଟି ବିଜେଡି ଗଡ଼ରେ ବିଜୟ ଲାଭ କରି ନିଜର ପତିଆରା ଜାହିର କରିଛି। ଏଭଳି ସମୟରେ ବିଜେଡି ନେତାମାନେ ନିଜର କଥା ରଖନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

୧୦ ଜୁଲାଇ ୨୦୧୭, ନିତିଦିନ ଦୈନିକ ଖବରକାଗଜ

Comments are closed.