Odisha Link
Bridging the Missing Links in Odisha

ଦିଲ୍ଳୀର ଫିରୋଜ ଶାହା ଷ୍ଟାଡିୟମ୍‌ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ୍‌ ନାମ ଇତିହାସ ହୋଇ ରହିଯିବ। କାରଣ ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ ସ୍ବର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ। ଏପରି ନିଷ୍ପତ୍ତି ନେଇଛି ଦିଲ୍ଲୀ ଆଣ୍ଡ ଡିଷ୍ଟିକ୍ଟ କ୍ରିକେଟ ଆସୋସିଏସନ୍‌ (ଡିଡିସିଏ)। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲିଙ୍କୁ ଶ୍ରଦ୍ଧା, ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ସ୍ୱର୍ଗତ ଜେଟଲି ଡିଡିସିଏର ସଭାପତି ଭାବେ ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଅରୁଣ ଜେଟଲିଙ୍କ ସଭାପତିତ୍ୱ କାଳରେ ହିଁ ଡିଡିସିଏ ପକ୍ଷରୁ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମର ନବୀକରଣ କାର୍ଯ୍ୟ କରାଯାଇଥିଲା। ଷ୍ଟାଡ଼ିୟମରେ ଅଧିକ ଦର୍ଶକ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥାଇ ଗ୍ୟାଲେରି ନିର୍ମାଣ କରାଯିବା ସହ କ୍ରିକେଟ ଖେଳାଳିମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ମହଜୁଦ୍‌ ଥିବା ଡ୍ରେସିଂ ରୁମ୍‌ର ନିର୍ମାଣ କରା ଯାଇଥିଲା।

ଏହାବାଦ୍‌ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ରେ ଖେଳୁଥିବା ଆଗଧାଡ଼ିର ଅନେକ ଖେଳାଳିଙ୍କୁ ଜାତୀୟ ସ୍ତରର ଖେଳାଳି ରୂପେ ଗଢ଼ି ତୋଳିବାରେ ସ୍ୱର୍ଗତ ଅରୁଣ ଜେଟଲିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେଣୁ, ସ୍ୱର୍ଗତ ଅରୁଣ ଜେଟଲିଙ୍କୁ ଶ୍ରଦ୍ଧା, ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମକୁ ସ୍ୱର୍ଗତ ଜେଟଲିଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ଡିଡିସିଏର ବର୍ତ୍ତମାନର ସଭାପତି ରଜତ ଶର୍ମା।