Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏମିତି କହିଲା ଶିବସେନା

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ଫଳ ବାହାରିବା ପରେ ଜମୁଛି ରାଜନୀତି। ଫଳାଫଳ ବାହାରିବା ପରଠାରୁ ୫୦-୫୦ ଫର୍ମୁଲା ସହ ନୂଆ କଥା କହୁଛି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଦଳ ଶିବସେନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅଧା ଅଧା ଭାଗ ହେବ ବୋଲି ବିଜେପି ଏବଂ ଏହାର ଅଧ୍ୟକ୍ଷ ଅମିତ ଶାହ ଲିଖିତ ଆକାରରେ ଦେଲେ ଯାଇ ସରକାର ଗଠନ ହେବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି। ଆଜି ଶିବସେନା ବିଧାୟକ ଦଳ ଏବଂ ସଭାପତି ଉଦ୍ଧବ ଠାକ୍‌ରେଙ୍କ ସହ ବୈଠକ ପରେ ଶିବସେନା ବିଧାୟକ ପ୍ରତାପ ସରନାଏକ ଏଭଳି ମନ୍ତବ୍ୟ ଦେଇ ଦଳର ମତ ଜଣାଇଛନ୍ତି।

ସେ କହିଛନ୍ତି, ବିଜେପିର ଶୀର୍ଷ ସ୍ତରୀୟ ନେତା ଯେପରିକି ଶାହ କିମ୍ବା ଫଡ଼ନାଭିସ୍‌ ଲିଖିତ ଆକରରେ କୁହନ୍ତୁ ମୁଖ୍ୟମନ୍ତ୍ରୀ ପଦ ଭାଗ ୫୦:୫୦ ଅନୁପାତରେ ଭାଗ ହେବ। ସେ ଆହୁରି ମଧ୍ୟ କହିଥିଲେ, ଆମେ କିଛି କାରଣ ପାଇଁ ନିର୍ବାଚନ ଆଗରୁ ୫୦:୫୦ ଫର୍ମୁଲାରେ ଯାଇପାରିଲୁନି। କିନ୍ତୁ ବର୍ତ୍ତମାନ ସମୟ ଆସିଛି ବିଜେପି ନିଜ ପ୍ରତିଶ୍ରୁତିରେ ଅଟଳ ରହୁ। ମୁଖ୍ୟମନ୍ତ୍ରୀ ପଦ ଭାଗ ହେଲେ ଯାଇ ସରକାର ଗଠନ ହେବ। ଶିବସେନା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ନିଷ୍ପତ୍ତି ନେଇନି, କିନ୍ତୁ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ଲେଖାଏ ଭାଗ କରିବାକୁ ସେ ଅଡ଼ି ବସିଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ନବନିର୍ବାଚିତ ବିଧାୟକମାନେ ଦାବି କରିଆସୁଛନ୍ତି ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ସଦ୍ୟ ଘୋଷିତ ଫଳାଫଳ ଅନୁଯାୟୀ, ପୂର୍ବଥର ତୁଳନାରେ ବିଜେପି ୧୭ଟି ଆସନ ହରାଇଛି। ଫଳରେ ଶିବସେନା ବାର୍ଗେନ୍‌ କରିବା ଆରମ୍ଭ କରିଛି। ଯଦିଓ ଏହାର ଆସନ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ଠାକ୍‌ରେ ପରିବାରରୁ ପ୍ରଥମ ଥର ଲଢ଼ି ଆଦିତ୍ୟ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲୋଭଟି ଶିବସେନା ସହଜରେ ଛାଡ଼ିବନାହିଁ।ଥାଣେର ବିଧାୟକ ପ୍ରତାପ ସରନାଏକ ଆହୁରି ମଧ୍ୟ କହିଛନ୍ତି, ଆମେ ଚାହୁଁଛୁ ଆଦିତ୍ୟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କିନ୍ତୁ ଉଦ୍ଧବ ଏହି ବିଷୟରେ ନିଷ୍ପତ୍ତି ନେବେ।

Comments are closed.