ଜମ୍ମୁ କଶ୍ମୀର: ଖୁବଶୀଘ୍ର ବିଧାନସଭା ନିର୍ବାଚନ

ଶ୍ରୀନଗର: ଖୁବଶୀଘ୍ର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଏନେଇ କହିଛନ୍ତି ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ କରିବେ ନାହିଁ। ଏଭଳି କହିଛନ୍ତି ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ।
ଜମ୍ମୁ କଶ୍ମୀରର ରେଏସି ଜିଲ୍ଲାରେ ଥିବା ତଲଓ୍ୱାର ଅଞ୍ଚଳରେ ଗତକାଲି ୧୪ଶ ପୁଲିସ କନେଷ୍ଚବଳ ପାସିଂ ଆଉଟ ପରେଡରେ ଯୋଗ ଦେବା ଅବସରରେ ବିଧାନସଭା ନିର୍ବାଚନ ବାବଦରେ ଉପରାଜ୍ୟପାଳ କହିଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ରହିଛି, ତେଣୁ ପ୍ରସ୍ତୁତ ରହିବାକୁ ପାସିଂ ଆଉଟ କନେଷ୍ଟବଳଙ୍କୁ କହିଛନ୍ତି ଉପରାଜ୍ୟପାଳ।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାର ଥିଲା। ହେଲେ ବିଜେପି ମେଣ୍ଟରୁ ଓହରିଯିବା ପରେ ସରକାର ଭାଙ୍ଗିଯାଇଥିଲା। ଏହାପରେ ରାଷ୍ଟ୍ରପତି ଶାସନ ଜାରି ରହିଥିଲା। ଅଗଷ୍ଟ ୫ରେ କିନ୍ତୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲା କେନ୍ଦ୍ର।