ମୋବାଇଲ ଗ୍ରାହକ ବୃଦ୍ଧିରେ ଓଡ଼ିଶା ପ୍ରଥମ

ଭୁବନେଶ୍ବର: ଦେଶର ୨୨ଟି ଟେଲିକମ୍ ସର୍କଲ ମଧ୍ୟରୁ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ସେପ୍ଟେମ୍ବରରେ ସବୁଠୁ ଅଧିକ ରହିଛି। ଗ୍ରାହକଙ୍କ ସଂଖ୍ୟାରେ ୧.୧୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଓଡ଼ିଶା ପଛକୁ ପଞ୍ଜାବ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆସାମ ତୃତୀୟ ସ୍ଥାନରେ ରହିଛି। ୨୨ଟି ଟେଲିଫୋନ ସର୍କଲ ମଧ୍ୟରୁ ୧୯ଟି ସର୍କଲରେ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିବାବେଳେ ୩ଟି ସର୍କଲରେ ଗ୍ରାହକଙ୍କ ସଂଖ୍ୟା କମିଛି। ଗ୍ରାହକଙ୍କ ସଂଖ୍ୟା କମିଥିବା ସର୍କଲ ଗୁଡ଼ିକ ହେଲା ମୁମ୍ବାଇ, ବିହାର ଏବଂ ଜମ୍ମୁ କଶ୍ମୀର। ଜମ୍ମୁ କଶ୍ମୀରର ମୋବାଇଲ ଗ୍ରାହକ ହ୍ରାସ ସର୍ବାଧିକ -୧.୦୯ ପ୍ରତିଶତ ରହିଥିବାବେଳେ ବିହାରେର -୦.୨୮ ପ୍ରତିଶତ ଏବଂ ମୁମ୍ବାଇେର -୦.୦୩ ପ୍ରତିଶତ ହ୍ରାସ ଘଟିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ଟ୍ରାଇର ଓଡ଼ିଶା ରିପୋର୍ଟରୁ ଜଣାପଡିଛି ଯେ, ଚଳିତବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୩ ହଜାର ୪୫୧ ଥିବାବେଳେ ସେପ୍ଟେମ୍ବରରେ ଏହି ସଂଖ୍ୟା ୩ କୋଟି ୨୮ ଲକ୍ଷ ୭୨ ହଜାର ୧୯୫କୁ ବୃଦ୍ଧି ପାଇଛି। ଅର୍ଥାତ୍ ସେପ୍ଟେମ୍ବରରେ ଓଡ଼ିଶାରେ ୩ ଲକ୍ଷ ୬୮ ଜହାର ୭୪୪ ଜଣ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ତେବେ ଏଥିରେ ବିଏସଏନଏଲ୍ ଏବଂ ଜିଓର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଏହି ଦୁଇ କମ୍ପାନିର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେପ୍ଟେମ୍ବର ମାସରେ ଓଡ଼ିଶାରେ ବିଏସଏନଏଲ ୫ ଲକ୍ଷ ୮୪ ହଜାର ୫୭ ଜଣ ଗ୍ରାହକଙ୍କୁ ଯୋଡ଼ିଥିବାବେଳେ ଜିଓ ୨ ଲକ୍ଷ ୭୫୩ ଜଣ ମୋବାଇଲ ଫୋନ୍ ଗ୍ରାହକଙ୍କୁ ଯୋଡ଼ିଛି।
Comments are closed.