Odisha Link
Bridging the Missing Links in Odisha

ଡିସେମ୍ବର ୬ରୁ ଅନଲାଇନ୍‌ରେ ଆଦାୟ ହେବ ହୋଲଡିଂ ଟିକସ

ଭୁବନେଶ୍ବର: ରାଜଧାନୀରେ ଘର ଥିବା ଲୋକଙ୍କ ହୋଲଡିଂ ଟିକସ ତଥ୍ୟ ଆସନ୍ତା ୬ ତାରିଖରୁ ବିଏମ୍‌ସି ୱେବସାଇଟ୍‌ରେ ଉପଲବ୍ଧ ହେବ। ଏହାକୁ ‌ଦେଖି ଟିକସ ଦାତା ଅନଲାଇନ୍‌ରେ ଟିକସ ପଇଠ କରିବେ। ଗତ ଅକ୍ଟୋବର ମାସରେ ବିଏମ୍‌ସି ହୋଲଡିଂ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିଥିଲେ ମଧ୍ୟ ଟ୍ୟାକ୍ସ କଲେକ୍ଟରମାନେ ସେମାନଙ୍କ ଅଞ୍ଚଳରେ ଥିବା ଘରଗୁଡ଼ିକର ହୋଲଡିଂ ଟିକସ ପୁନଃମୂଲ୍ୟାୟନ କରି ନାହାନ୍ତି। ୱାର୍ଡ ଅଫିସରମାନେ ନୂଆ ତଥ୍ୟ ଦେଇ ନଥିବାରୁ ଅନଲାଇନ୍‌ରେ କିନ୍ତୁ ପୁରୁଣା ରେକର୍ଡ ଅପଲୋଡ୍‌ ହୋଇଛି ଫଳରେ ଲୋକମାନେ ପୁରୁଣା ନିୟମ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ହୋଲଡିଂ ଟିକସ ଦେବେ। ସୂଚନାମୁତାବକ ବର୍ତ୍ତମାନ ସୁଦ୍ଧା ୮୬ହଜାର ହୋଲଡିଂ ଟିକସଦାତା ରହିଛନ୍ତି ସେଥିମଧ୍ୟରୁ ପ୍ରାୟ ୭୦ହଜାର ଲୋକଙ୍କର ତଥ୍ୟ ୱେବସାଇଟ୍‌ରେ ଅପଲୋଡ୍‌ ହୋଇଛି। ମାର୍ଚ୍ଚ ପର୍ଯ୍ୟନ୍ତ ପୁରୁଣା ହିସାବ ଅନୁଯାୟୀ ଟିକସ ଆସାୟ ହେବ ଏବଂ ଆସନ୍ତା ଆର୍ଥିକ ବର୍ଷରୁ ନୂଆ ହିସାବରେ ଆଦାୟ ହେବ।

ବିଏମ୍‌ସିର ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ଅନଲାଇନ୍‌ରେ ହୋଲଡିଂ ଟିକସ ଆଦାୟ ପ୍ରକ୍ରିୟା ରାଜ୍ୟର ୧୧୪ଟି ସହରାଞ୍ଚଳରେ ଡିସେମ୍ବର ୬ତାରିଖରୁ ଲାଗୁ ହେବ। ଲୋକମାନଙ୍କୁ ନିଜ ଘର ପାଇଁ କେତେ ହୋଲଡିଂ ଟିକସ ଦେବାକୁ ପଡ଼ିବ ସେମାନେ ନିଜେ ମୂଲ୍ୟାୟନ କରି ତଥ୍ୟ ଦେବେ ଏବଂ ସେହି ଅନୁଯାୟୀ ଟିକସ ଦେବେ। ଯଦି କେହି ଭୁଲ୍‌ ତଥ୍ୟ ଦେଇଥିବେ ତେବେ ତାଙ୍କ ଠାରୁ ଜରିମାନା ଆଦାୟ ହେବ। ଏହାବାଦ୍ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟରେ ଆସନ୍ତା ଜାନୁଆରି ସୁଦ୍ଧା ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସୂଚନାଯୋଗ୍ୟ, ଆବାସିକ ‌ହୋଲଡିଂ ଟିକସ ଆଦାୟ ପାଇଁ ଏବେ ଜମି ଓ ଘରର ମୂଲ୍ୟକୁ ହିସାବକୁ ନେଇ ୧୭.୫% ଟିକସ ଆଦାୟ ହେଉଛି। ଏଥିରେ ହୋଲଡିଂ ଟିକସ ବାବଦକୁ ୧୦%, ଲାର୍ଟିନ୍ ଟ୍ୟାକ୍ସ ବାବଦକୁ ୨.୫% ଏବଂ ଷ୍ଟ୍ରିଟଲାଇଟ୍‌ ବାବଦକୁ ୫% ହିସାବରେ ମୋଟ୍‌ ୧୭.୫% ହୋଲଡିଂ ଟିକସ ଆଦାୟ ହେଉଛି। ବିଏମ୍‌ସି ୨୫% ପର୍ଯ୍ୟନ୍ତ ହୋଲଡିଂ ଟିକସ ଆଦାୟ କରିପାରିବାର ନିୟମ ଥିଲେ ହେଁ ୧୭.୫% ଟିକସ ଆଦାୟ ହେଉଛି। ବିଏମ୍‌ସିର ହୋଲଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର) ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ଏଥିରେ ହୋଲଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚ ମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ‌ଟଙ୍କା ହେବ ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହି ମୂଲ୍ୟର ୧୭.୫% ଜଣକୁ ହୋଲଡିଂ ଟିକସ ବାବଦକୁ ଦେବ। ଏବେ ବି ୧୯୯୮ ମସିହାରେ ବିଭିନ୍ନ ଅଞ୍ଚଳରେ ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଟିକସ ହିସାବ ହେଉଛି। କିନ୍ତୁ ବିଏମ୍‌ସି ନୂଆ ନିୟମରେ ଏହାକୁ ବର୍ତ୍ତମାନ ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି।