Odisha Link
Bridging the Missing Links in Odisha

ଅମିତ ଶାହଙ୍କ ଉପରେ ପ୍ରତିବନ୍ଧ ଲାଗିବା ଦରକାର: ଆମେରିକା କମିଶନ

ଓ୍ବାଶିଂଟନ୍: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ତାତି। ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। ଫେଡରାଲ ଆମେରିକା କମିଶନ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଛି।

କମିଶନ ଭାରତ ସରକାର ଆଣିଥିବା ନାଗରିକତା ସଂଶୋଧନ ବିଲ୍‌(ସିଏବି)କୁ ଜୋରଦାର ବିରୋଧ କରିଛି ଏବଂ ଏହା ଏକ ଭୟଙ୍କର ଦିଗ ଆଡ଼େ ଗତି କରିବ ବୋଲି କହିଛି। ଯଦି ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାସ ହୋଇଯିବ, ତା’ହେଲେ ଆମେରିକା ସରକାର ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ କଟକଣା ଲଗାଇବା ଉଚିତ ବୋଲି ଏହି ସଂସ୍ଥା କହିଛି।

ଏଥିସହିତ ଆମେରିକା କମିଶନ ୟୁଏସସିଆଇଆରଏଫ୍‌ ଏହାକୁ ବିରୋଧ କରି କହିଛି ଯେ ଏଭଳି ଏକ ବିଲ ଭାରତର ଲୋକସଭାରେ ପାସ ହେବା ଚିନ୍ତାର ବିଷୟ। ଯଦି ଏହି ବିବାଦୀୟ ସିଏବି ବିଲ ସଂସଦରେ ଉଭୟ ସଦନରେ ପାସ ହୋଇଯିବ, ତା’ହେଲେ ଏହା ବଡ଼ ବିପଦ ସାଜିବ। ତେଣୁ ଆମେରିକା ସରକାର ଅମିତ ଶାହ ଓ ଅନ୍ୟ ବରିଷ୍ଠ ରାଜନେତାଙ୍କ ଉପରେ ଏନେଇ ତୁରନ୍ତ କଟକଣା ଲଗାଇବା ଉଚିତ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆଣିଥିବା ବିଲ୍‌ରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ନିର୍ଯାତନାର ଶିକାର ହେଉଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତ ସରକାର ଏଠାରେ ନାଗରିକତା ପ୍ରଦାନ କରିବେ। ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଭାରତରେ ରହିଥିବେ ସେମାନଙ୍କୁ ହିଁ ନାଗରିକତା ମିଳିବ।

Comments are closed.