Odisha Link
Bridging the Missing Links in Odisha

ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍, କଣ ରହିଛି ପ୍ରାବଧାନ ଜାଣନ୍ତୁ

ହାଇଦ୍ରାବାଦ: ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍। ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ବିଲ୍‌ ୨୦୧୯ ପାରିତ ହୋଇଛି। ଏହି ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଜରିଆରେ ଦୁଷ୍କର୍ମକାରୀମାନଙ୍କୁ ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡ ଦିଆଯିବ। ଏହା ପୂର୍ବରୁ ମହିଳା ଏବଂ ଶିଶୁ ନିର୍ଯାତନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆନ୍ଧ୍ର ସରକାର ୨ଟି ବିଲ୍‌ ପାରିତ କରିଥିଲେ।

ଆନ୍ଧ୍ରପ୍ରଦେଶ ଦିଶା ଆକ୍ଟ ଜରିଆରେ ‘ଦୁଷ୍କର୍ମ ପରି ଘୃଣ୍ୟ ଅପରାଧ’ କ୍ଷେତ୍ରରେ କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓରରେ ଆମେଣ୍ଡମେଣ୍ଟ ଅଣାଯିବାର ପ୍ରାବଧାନ ରହିଛି। ଏହାଦ୍ୱାରା ଯଥେଷ୍ଟ ପ୍ରମାଣ ସହିତ ୭ ଦିନରେ ତଦନ୍ତ ସରିବ। ୧୪ ଦିନରେ ଶୁଣାଣି ସରିବ। ଏପରି ଭାବେ ରାୟ ଅବଧି ୨୧ ଦିନକୁ ହ୍ରାସ ପାଇବ।

ଆନ୍ଧ୍ର କ୍ୟାବିନେଟ୍‌ ଆହୁରି ମଧ୍ୟ ମହିଳା ଏବଂ ଶିଶୁ ବିରୋଧୀ ନିର୍ଯାତନା ଆକ୍ଟ ୨୦୧୯ ପାଇଁ ଆନ୍ଧ୍ର ପ୍ରଦେଶ ସ୍ପେଶାଲ କୋର୍ଟ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ବଳରେ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇପାରିବ, ଯାହାକି ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ସମ୍ପର୍କିତ ମାମଲାର ପରିଚାଳନା କରିବ। ଏଥିରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଏସିଡ୍‌ ମାଡ଼, ଯୌନ ନିର୍ଯାତନା ଏବଂ ପକ୍ସୋ ଆକ୍ଟ ଅଧୀନରେ ଥିବା ମାମଲା ଆଦିର ପରିଚାଳନା କରିବ।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବଦରେ ସଂଘଟିତ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟକୁ ଦୁଷ୍କର୍ମ ମୁକ୍ତ କରିବା ଲକ୍ଷ୍ୟରେ ଏହି ନୂତନ ଆଇନର ପ୍ରଣୟନ କରିଛନ୍ତି।

Comments are closed.