ସେଲ୍ଫି ନେଲା ଜୀବନ

ଯାଜପୁର: ସେଲ୍ଫି ନିଶା ନେଲା ଜୀବନ । ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲିର ଟ୍ରେଣ୍ଡ୍। ହେଲେ ସେଲ୍ଫି ନେବା ନିଶା ବେଳେବେଳେ ଜୀବନ ନେଇ ଯାଏ। ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଏରବା ଗାଁରେ। ନଦୀକୁ ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଦୁଇ ଭଉଣୀ ନଦୀରେ ବୁଡ଼ି ଯାଇଛନ୍ତି। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ଉଦ୍ଧାର ଯୁବତୀଙ୍କ ନାଁ ନାଜରିନ୍ ବେଗମ। ନିଖୋଜ ଯୁବତୀ ହେଲେ ସାଇସ୍ତା ବେଗମ।
ସୂଚନା ଅନୁସାରେ, ନାଜରିନ୍ ସପ୍ତାହ ତଳେ ବିବାହ କରିଥିଲେ। ସେ ବାପ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ଅପରାହ୍ଣରେ ସେ ତାଙ୍କ ସମ୍ପର୍କୀୟ ଭଉଣୀ ସାଇସ୍ତାଙ୍କ ସହ ଯାଜପୁର ଜିଲ୍ଲା ସଦରଥାନା ଖରସ୍ରୋତା ନଦୀର ତନ୍ତିଘାଇ ନିକଟକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେଲ୍ଫି ଉଠାଉଥିବା ବେଳେ ଉଭୟ ନଦୀ ଭିତରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ନାଜରିନ୍ଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ନିଖୋଜ ଅଛନ୍ତି।