Odisha Link
Bridging the Missing Links in Odisha

ରାଉରକେଲା ପାଇଁ ୬୦୦ କୋଟି

ଭୁବନେଶ୍ବର: ୨୦୧୮ ହକି ବିଶ୍ବକପ୍ ପରେ ୨୦୨୩ର ହକି ବିଶ୍ବକପ୍ ଆୟୋଜନ ଅଧିକାର ଓଡ଼ିଶାକୁ ମିଳିଛି। ଲଗାତାର ଦୁଇଥର ବିଶ୍ବକପ୍ ଆୟୋଜନ କରିଥିବା ପ୍ରଦେଶରେ ସାମିଲ ହୋଇଛି ଓଡ଼ିଶା। ୨୦୧୮ ବିଶ୍ବକପ୍ ସଂପୂର୍ଣ୍ଣ ଭାବେ ଭୁବନେଶ୍ବରରେ ଖେଳା ଯାଇଥିଲା ବେଳେ ୨୦୨୩ରେ ଖେଳାଯିବାକୁ ଥିବା ବିଶ୍ବକପ୍‌ରେ ରାଉରକେଲାକୁ ଦ୍ବିତୀୟ ସହର ଭା‌ବେ ଗ୍ରହଣ କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)। ଏଥିପାଇଁ ବିଶ୍ବକପ୍ ପୂର୍ବରୁ ରାଉରକେଲାରେ ହକି ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବା ଲାଗି ଯୋଜନା ଆରମ୍ଭ ହୋଇଛି। ଖାସ୍ ବିଶ୍ବକପ୍ ପାଇଁ ଓଡ଼ିଶା ସରକାର ରାଉରକେଲା ବିକାଶରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ବର ବିଶ୍ବକପ୍ ଲାଗି ୨୦୦ କୋଟି ଟଙ୍କା ବ୍ୟୟ କରାଯାଇଥିବା ଏବେ ରାଉରକେଲାରେ ତିନି ଗୁଣ ଅର୍ଥ ବ୍ୟୟ କରିବେ ରାଜ୍ୟ ସରକାର। ‘ସ୍ମାର୍ଟ ସିଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଅର୍ଥ ବିନିଯୋଗ କରାଯିବ। ଏହି ଯୋଜନାରେ ଭୁବନେଶ୍ବର ସହ ରାଉରକେଲା ମଧ୍ୟ ସାମିଲ ରହିଛି।

ସୂଚନା ଅନୁସାରେ ବିଶ୍ବକପ୍ ଲାଗି ରାଉରକେଲାର ଆମ୍ବେଦକର ଛକଠାରୁ ଉଦିତ ନଗର ପର୍ଯ୍ୟନ୍ତ ସଡ଼କ ନିର୍ମାଣ ଓ ନବୀକରଣ (ଫେଜ୍-୧) ଲାଗି ୨୨.୬୨‌ କୋଟି, ଉଦିତ ନଗରରୁ ବିର୍ସା ଛକ ସଡ଼କ (ଫେଜ୍-୨) ଲାଗି ୧୨୫ କୋଟି, ବିର୍ସା ମୁଣ୍ଡା ବହୁମୁଖୀ ଷ୍ଟାଡିୟମ ଲାଗି ୧୩୦ କୋଟି, ବସ୍ ରହଣୀ ସ୍ଥାନ, ନିୟନ୍ତ୍ରଣ କକ୍ଷ, ସମ୍ମିଳନୀ କକ୍ଷ, ପ୍ରେକ୍ଷାଳୟ ଓ ସଂଗ୍ରହାଳୟ ନିର୍ମାଣ ଲାଗି ୧୦୫ କୋଟି, ପାନପୋଷ ମାର୍କେଟ କଂପ୍ଲେକ୍ସ ଲାଗି ୪୧.୮ କୋଟି, ୧୩ଟି ବସ୍ ଟର୍ମିନାଲ ଲାଗି ୧୮୭ କୋଟି, ୭ ଉଦ୍ୟାନ ଲାଗି ୫.୭୨ ଓ ପାନପୋଷଠାରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ ଲାଗି ୯.୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଛଡ଼ା ଝାରସୁଗୁଡ଼ା, ଜୟପୁର ଓ ରାଉରକେଲା ବିମାନ ସେବା ଲାଗି କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟ କରାଯିବ। ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଦର୍ଶକ କ୍ଷମତାକୁ ୨୫ ହଜାରକୁ ୪୦ ହଜାରକୁ ବଢ଼ାଯିବାର ବ୍ୟବସ୍ଥା କରାଯାଇଛି। ଏଥିଲାଗି ଘରୋଇ ଏବଂ ସରକାରୀ କଂପାନିଗୁଡ଼ିକର ସହାୟତା ନିଆଯିବ। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକ୍‌ରେ ୧୭ ସିନ୍ଥେଟିକ୍ ଟର୍ଫ ବିଛାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି ସାରିଛନ୍ତି।

Comments are closed.