Odisha Link
Bridging the Missing Links in Odisha

୨୦ରେ ଉନ୍ନାଓ ଦଣ୍ଡାଦେଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟରେ ହୋଇଛି। କୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୦ ତାରିଖରେ କୋର୍ଟ ରାୟ ଶୁଣାଇବା ସହିତ ମାମଲାର ଦୋଷୀ ତଥା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନେଗରଙ୍କ ବିରୋଧରେ ଦଣ୍ଡାଦେଶ ଦେବେ।

ଆଜି ମାମଲାର ଶୁଣାଣି ସମୟରେ ସିବିଆଇ ପକ୍ଷରୁ ଦୋଷୀ ସେନେଗାରଙ୍କୁ କଡ଼ା ଦଣ୍ଡାଦେଶ ଦେବାକୁ ଯୁକ୍ତି କରାଯାଇଥିଲା। ସେନେଗାର ପୀଡ଼ିତାଙ୍କୁ ଅପହରଣ କରିବା ଏବଂ ବଳାତ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଅଧିକରୁ ଅଧିକତମ ଦଣ୍ଡ ଦେବାକୁ ସିବିଆଇ ଦାବି କରିଥିଲା। ଅନ୍ୟପଟେ ସେନେଗାରଙ୍କ ଓକିଲ ତାଙ୍କର ସାମାଜିକ ଜୀବନର ଉଦାହରଣ ଦେଇ କମ୍‌ ଦଣ୍ଡାଦେଶ ଦେବାକୁ ଦାବି କରିଥିଲେ।

ସୂଚନା ଅନୁସାରେ କୋର୍ଟ ସେନେଗାରଙ୍କୁ ଧାରା ୩୭୬ ଏବଂ ପୋକ୍‌ସୋ ଆଇନର ଧାରା ୬ ଅଧୀନରେ ଗତ ସୋମବାର ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡ ବିଧାନ ଉପରେ ଶୁଣାଣି ଲାଗି କୋର୍ଟ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରିଥିଲେ। ମଙ୍ଗଳବାର ଶୁଣାଣି ବେଳେ କୋର୍ଟରେ ସିବିଆଇ ଓକିଲ ଏବଂ ସେନେଗାରଙ୍କ ଓକିଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେଣୁ କୋର୍ଟ ଦଣ୍ଡ ବିଧାନ ଶୁଣାଣି ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରିଛନ୍ତି।

Comments are closed.