Odisha Link
Bridging the Missing Links in Odisha

ଓଡ଼ିଶାରେ ‌ଲୁଚିଛି ଦୁଷ୍କର୍ମକାରୀ ଶିକ୍ଷକ

ଭୁବନେଶ୍ବର: ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶିକ୍ଷକ ଓଡ଼ିଶାରେ ଲୁଚିଛି। ଏଭଳି ଆଶଙ୍କା କରି ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି। ଯଦି ଏଭଳି ଶିକ୍ଷକ ସେଠାରେ ଚାକିରି କରୁଛି ବା ଟ୍ୟୁସନ କରୁଛି ତେବେ ତୁରନ୍ତ ତାକୁ ସିବିଆଇ ଜିମା ଦେବା ପାଇଁ ପରାମର୍ଶ ଦେଇଛି। ଯିଏ ଅଭିଯୁକ୍ତ ସମ୍ବନ୍ଧରେ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ସିବିଆଇ ମୁମ୍ବାଇର ସ୍ବତନ୍ତ୍ର ଅପରାଧ ଶାଖା ଘୋଷଣା କରିଛି।

ଅଭିଯୁକ୍ତ ହେଉଛି ଗୁଜୁରାଟର ଧବଲ ତ୍ରିବେଦୀ। ସେ ଭଲ ଇଂରାଜୀ ପଢ଼ାଏ। ଏଣୁ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଏହି ଶିକ୍ଷକକୁ ବାଛନ୍ତି। ସ୍କୁଲ ଓ ଟ୍ୟୁସନ ସମୟରେ ଛାତ୍ରୀଙ୍କୁ ଟା‌ର୍ଗେଟ କରି ଜାଲରେ ଫସାଏ। ପରେ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାଏ। କେହି ନ ମାନିଲେ ଦୁଷ୍କର୍ମ କରିଥାଏ। ଗତ ୨୦୧୨ ମସିହାରେ ଗୁଜୁରାଟର ପଢ଼ାରୀ ଥାନା ଅଞ୍ଚଳ‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ଅଭିଯୋଗ ହେବା ପରେ ତାକୁ ଗିରଫ କରାଯାଇଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାକୁ ଜାମିନ୍‌ ମିଳିଥିଲା। ଜାମିନ୍‌ରେ ଆସିବା ପରେ ସେ ଫେରାର ହୋଇଯାଇଥିଲା।
୨୦୧୪ ମସିହାରେ ପୁଣି ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ସେ ଫେରାର ହୋଇଯାଇଥିଲା। ସେବେଠାରୁ ଅଭିଯୁକ୍ତ ଆଉ ଧରାପଡ଼ି ନାହିଁ। ୨୦୧୪ ମସିହାରେ ସେ ହରିୟାଣାରେ ଏଭଳି ଘଟଣା ଘଟାଇଥିଲା। ତନାଘନା ହେବା ପରେ ଧବଲ ହିଁ ନିଜର ନାମ ପରିବର୍ତ୍ତନ କରି ଏହି ଘଟଣା ଘଟାଇଥିବା ପ୍ରମାଣ ମିଳିଥିଲା। ହେଲେ ସେ ଧରାପଡ଼ି ନ ଥିଲା। ସେବେଠାରୁ ସିବିଆଇ ତା ପଛରେ ପଡ଼ିଛି।

ସେ ଛଦ୍ମନାମରେ ଓଡ଼ିଶା‌ରେ ଲୁଚିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସିବିଆଇ ଜାଣିବାକୁ ପାଇଛି। ଘରୋଇ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ବା କୋଚିଂ ସେଣ୍ଟରରେ ସେ ଇଂରାଜୀ ଶିକ୍ଷକ ଭାବରେ କାମ କରୁଛି। ଏଣୁ ଅନ୍ୟ କାହାକୁ ସେ ନିଜ ଜାଲରେ ଶିକାର କରିବା ପୂର୍ବରୁ ଧରାଇ ଦେବାପାଇଁ ସିବିଆଇ ଚିଠିରେ ଉଲ୍ଲେଖ କରିଛି। ଚିଠି ପାଇବା‌ ପରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି।

Comments are closed.