୧୬ରେ ରାଜ୍ୟର ସବୁ ସ୍କୁଲରେ ଅଭିଭାବକ ଓ ଶିକ୍ଷକ ବୈଠକ

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ(ପିଟିଏମ୍) ଅନୁଷ୍ଠିତ ହେବ। ଏଥିରେ ଷାଣ୍ମାସିକ ପରୀକ୍ଷା ଫଳ ପ୍ରକାଶ କରାଯିବା ସହ ଅଭିଭାବକଙ୍କୁ ଅବଗତ କରାଯିବ। ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛାତ୍ରଛାତ୍ରୀ ପାଠପଢ଼ାରେ କିଭଳି ଉନ୍ନତି କରିପାରିବେ ସେନେଇ ଆଲୋଚନା ହେବ। ବିଦ୍ୟାଳୟ କର୍ତୃପକ୍ଷ ନିଜ ସୁବିଧା ଅନୁଯାୟୀ ସମୟ ଧାର୍ଯ୍ୟ କରିବେ ଏବଂ ତିନି ଦିନ ଆଗରୁ ଅଭିଭାବକଙ୍କୁ ଜଣାଇବା ସହ ବିଜ୍ଞପ୍ତି ପ୍ରକାଶ କରିବେ।
ବୈଠକର ଏଜେଣ୍ଡା ସମ୍ପର୍କରେ ବିଜ୍ଞପ୍ତିରେ ଉଲ୍ଲେଖ ରହିବ। ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଗରିମା ଆୱାର୍ଡ, ଏଲ୍ଇପି(ଲର୍ଣ୍ଣିଂ ଏନ୍ହାନ୍ସମେଣ୍ଟ ପୋଗ୍ରାମ), ଉଜ୍ବଳ, ଉଥ୍ଥାନ କ୍ଲାସ, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନର ଆବଶ୍ୟକତା ବାବଦରେ ବୈଠକରେ ଆଲୋଚନା କରାଯିବ। ପିଲାଙ୍କ ପାଠପଢ଼ା ସମ୍ପର୍କରେ ଶିକ୍ଷକମାନେ ଅଭିଭାବକଙ୍କୁ ଜଣାଇବେ। ଯଦି କୌଣସି ଅଭିଭାବକ ଅନ୍ୟ ବିଷୟରେ ଜାଣିବାକୁ ଚାହୁଁଥିବେ ତେବେ ବୈଠକ ପରେ ସେନେଇ ଆଲୋଚନା କରାଯିବ। ବୈଠକ ପରେ ଅଭିଭାବକମାନେ ପିଲାଙ୍କ ସହ କ୍ଲାସରୁମ୍ରେ ବସିବେ। ଏଥିରେ ପ୍ରତି ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷାର ଉତ୍ତର ଖାତା ଅଭିଭାବକଙ୍କୁ ଦେଖାଯିବ।
ପିଲାମାନେ ପରୀକ୍ଷାରେ କିଭଳି ଉତ୍ତର ଲେଖିଛନ୍ତି ସେବିଷୟରେ ଅବଗତ କରାଯିବ। ପିଲାର ପାଠପଢ଼ା ବୃଦ୍ଧି ଦିଗରେ କ’ଣ ପଦକ୍ଷେପ ନିଆଯିବ ସେନେଇ ଶ୍ରେଣୀ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ହେବ। ବୈଠକ ସମୟରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ଶ୍ରେଣୀ ଅନୁଯାୟୀ ଅଭିଭାବକଙ୍କ ଉପସ୍ଥାନ ନିଆଯିବ ଏବଂ ପରବର୍ତୀ ସମୟରେ ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ତାହା ଦାଖଲ କରାଯିବ। ଦୁଇ ଘଣ୍ଟା ଧରି ହେବାକୁ ଥିବା ବୈଠକରେ ୧୫ ମିନିଟ୍ ଲେଖାଏ ଶିକ୍ଷକମାନେ ଅଭିଭାବକଙ୍କୁ ଏଲ୍ଇପି ଓ ଗରିମା ଆୱାର୍ଡ ସମ୍ପର୍କରେ ଅବଗତ କରାଇବେ। ଏକ ଘଣ୍ଟା ଧରି ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ଅଭିଭାବକଙ୍କୁ ଦେଖାଯିବ। ୨୦୧୯ ଜୁନ୍ ୨୮ରେ ପ୍ରଥମ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା ।
Comments are closed.