Odisha Link
Bridging the Missing Links in Odisha

ବିସ୍ଫୋରକ ଲଗାଇ ଅଟ୍ଟାଳିକା ଧୂଳିସାତ

କୋଚି: ଆଜି କେରଳର କୋଚି ଠାରେ ଥିବା ୪ଗୋଟି ବଡ ଆପାର୍ଟମେଣ୍ଟ୍‌ରୁ ୨ଟି ଆପାର୍ଟମେଣ୍ଟ୍‌କୁ ‘କଣ୍ଟ୍ରୋଲ୍‌ଡ୍‌ ଇମ୍ପ୍ଲୋସନ୍‌’ ଲଗାଇ ଧ୍ୱଂସ କରାଯାଇଛି। ‘କୋଷ୍ଟାଲ୍‌ ଜୋନ୍‌ ରେଗୁଲେସନ୍‌’ (ସିଜେଆର୍‌) ଉଲ୍ଲଂଘନ କରାଯାଇ ଏହି ଆପାର୍ଟମେଣ୍ଟ୍‌ ନିର୍ମାଣ କରାଯାଇଥିବାରୁ ଏହାକୁ ଭଙ୍ଗା ଯାଇଛି। ଏହାକୁ ଭାଙ୍ଗିବାକୁ ଗତ ମେ ମାସରେ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଥିଲେ। ବିସ୍ଫୋରକ ସହାୟତାରେ ୮ ଲକ୍ଷ ବର୍ଗଫୁଟ୍‌ ପରିମିତ ସ୍ଥାନରେ ନିର୍ମିତ ମରାଦୁ ଆପାର୍ଟମେଣ୍ଟ୍‌ ପରିସରର ଦୁଇଟି ଅଟ୍ଟାଳିକାକୁ ଧ୍ୱଂସ କାରାଯାଇଛି। ଭାରତର ବୃହତ୍‌ ଉଚ୍ଛେଦ ଅଭିଯାନରେ ଏହା ହେଉଛି ଅନ୍ୟତମ।

ଆଜି ଧ୍ୱଂସ ହୋଇଥିବା ପ୍ରଥମ ଅଟ୍ଟାଳିକାଟି ହେଉଛି ‘ଏଚ୍‌୨୦ ହୋଲି ଫେଥ୍‌ କମ୍ପ୍ଲେକ୍ସ୍‍’। ୧୯ ମହଲାବିଶିଷ୍ଟ ଏହି ଅଟ୍ଟାଳିକାରେ ୯୧ଟି ଆପାର୍ଟମେଣ୍ଟ୍‌ ଥିଲା। ପୂର୍ବାହ୍ନ ପ୍ରାୟ ୧୧: ୧୯ ମିନିଟ୍‌ରେ ୨୧୨. ୪ କିଲୋଗ୍ରାମ୍‌ ବିସ୍ଫୋରକ ଦ୍ୱାରା ଏହାକୁ ଭାଙ୍ଗି ଦିଆଯାଇଛି। ୭୦ ମିଟର ଉଚ୍ଚ ଏହି ଅଟ୍ଟାଳିକାରେ ୧୪୭୧ଟି ଗାତ କରାଯାଇ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ଦ୍ୱିତୀୟ ଅଟ୍ଟାଳିକାଟି ହେଉଛି ଏହା ଠାରୁ ୮୦୦ ମିଟର ଦୂରରେ ଥିବା ‘ଆଲ୍‌ଫା ସିରିନ୍‌’। ୬୭ଟି ଫ୍ଲାଟ୍‌ ଥିବା ୧୭ ମହଲାବିଶିଷ୍ଟ ଏହି ଅଟ୍ଟାଳିକାଟିକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍‌ ରବିବାର ଦିନ ସେଠାରେ ଥିବା ବାକି ଦୁଇଟି ଅଟ୍ଟାଳିକାକୁ ସମାନ ଉପାୟରେ ଧ୍ୱଂସ କରାଯିବ।

Comments are closed.