Odisha Link
Bridging the Missing Links in Odisha

୩୭୦ ଧାରା ଉଚ୍ଛେଦର ସଚେତନତା ପାଇଁ କଶ୍ମୀର ଯିବେ ୩୬ କେନ୍ଦ୍ରମନ୍ତ୍ରୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ମଧ୍ୟ ସେଠାରେ ଜାରି ରହିଛି କଟକଣା। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରବାସୀ ପାଉଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗ ଏବେ ଆଉ ନାହିଁ।ଲୋକଙ୍କ ମନରେ ଧାରା ୩୭୦କୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ଏହି ସମ୍ପର୍କରେ ସଚେତନତା କରିବା ପାଇଁ କେନ୍ଦ୍ର ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଅମିତ ଶାହଙ୍କ ନିର୍ଦ୍ଦେଶକୁକ୍ରମେ ଲୋକଙ୍କ ମନରେ ଧାରା ୩୭୦କୁ ନେଇ ସଚେତନତା ସୃଷ୍ଟି କରିବାକୁ ୩୬ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ-କଶ୍ମୀରକୁ ଗସ୍ତ କରିବେ। ସେମାନେ ବିଭିନ୍ନ ଜିଲ୍ଲା ବିଶେଷ କରି କଶ୍ମୀରର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକୁ ଯାଇ ଧାରା ୩୭୦ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ।

ଜାନୁଆରୀ ୧୮ରୁ ୨୪ ଯାଏ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ ଏହାର ତଦାରଖ କରାଯିବ। ଏନେଇ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷ୍ଣନ ରେଡ୍ଡୀ ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ କେନ୍ଦ୍ରମନ୍ତ୍ରୀମାନେ ଜାନୁଆରୀ ୧୮ରୁ ଜମ୍ମୁ-କଶ୍ମୀର ଗସ୍ତ କରିବେ। ସେଠାରେ ସେମାନେ ଲୋକଙ୍କୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ବୁଝାଇବେ ଓ ଉକ୍ତ ଅଞ୍ଚଳ ପାଇଁ ସରକାରୀ ସ୍ତରରେ ହୋଇଥିବା ବିକାଶ ମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରାଇବେ। ବିଶେଷ କରି ଧାରା ୩୭୦ ଉଚ୍ଛେଦ ପରେ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକୁ କେନ୍ଦ୍ରମନ୍ତ୍ରୀମାନେ ବିସ୍ତୃତ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବେ। ଜମ୍ମୁରେ ୫୧ଟି ଓ ଶ୍ରୀନଗରେ ୮ଟି କାର୍ଯ୍ୟକ୍ରମ ହେବ।

କଶ୍ମୀର ଗସ୍ତରେ ଯିବାକୁ ଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ସ୍ମୃତି ଇରାନୀ, ପୀୟୂଷ ଗୋଏଲ, ରବିଶଙ୍କର ପ୍ରସାଦ, ଗିରିରାଜ ସିଂହ, କରିଣ ରିଜ୍ଜିଜୁ, ଭିକେ ସିଂହ, ଆରକେ ସିଂହ, ଶ୍ରୀପଦ ନାୟକ, ଅନୁରାଗ ଠାକୁର, ପ୍ରହ୍ଲାଦ ଯୋଶୀ, ରମେଶ ପୋଖରିୟାଲ ଓ ଜିତେନ୍ଦ୍ର ସିଂହ ପ୍ରମୁଖ ରହିଛନ୍ତି।

Comments are closed.