Odisha Link
Bridging the Missing Links in Odisha

‘ଏକାମ୍ର ପ୍ୟାକେଜ୍‌’ ଘୋଷଣା କଲେ ରାଜ୍ୟ ସରକାର, କାହାକୁ ମିଳିବ କେତେ ଟଙ୍କା ଜାଣନ୍ତୁ

ଭୁବନେଶ୍ବର: ଆଜି ‘ଏକାମ୍ର ପ୍ୟାକେଜ’ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ପ୍ୟାକେଜ୍ ଘୋଷଣା ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ‘ଏକାମ୍ର ପ୍ୟାକେଜ’ ଅନୁସାରେ ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ହୋଇଥିବା ବାସଗୃହଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁସାରେ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ଜମି ଅଧିଗ୍ରହଣ ଆଇନ-୨୦୧୩ ଆଧାରରେ ଆବଶ୍ୟକ କ୍ଷତିପୂରଣ ଦିଆଯିବ। ସେହିପରି ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ସହ ସମାନ ପରିମାଣର କ୍ଷତିପୂରଣ ଦିଆଯିବ। ଯଦି କୌଣସି ବ୍ୟକ୍ତି ଜମି ବଦଳରେ ଜମି ନେବାକୁ ଚାହିଁବେ ତାଙ୍କୁ ଅନ୍ୟତ୍ର ଜମି ଦିଆଯିବ। ଯଦି ଅନ୍ୟତ୍ର ଦିଆଯିବାକୁ ଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ଦରଠୁ କମ୍ ଥାଏ ତେବେ ନିୟମାନୁସାରେ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ।

ଅଧିଗୃହୀତ ସମସ୍ତ ଜମି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ କରାଯିବ। ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାଁ ପ୍ରକଳ୍ପ ଅଞ୍ଚଳ ଫଳକରେ ରଖାଯିବ। ପୁରୀ ଶ୍ରୀମନ୍ଦିର ପ୍ୟାକେଜ୍ ଶୈଳୀରେ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ପ୍ୟାକେଜ୍ ଘୋଷଣା ହୋଇଛି। ୬ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଅଧିଗ୍ରହଣ ବିଜ୍ଞପ୍ତି ଜାରି ହେବାର ୩୦ଦିନ ମଧ୍ୟରେ କ୍ଷତିଗ୍ରସ୍ତ ବ୍ୟକ୍ତି ଯଦି ସ୍ୱଇଚ୍ଛାରେ ତାଙ୍କର ଜମି ପ୍ରଦାନ କରିବେ ତେବେ ତାଙ୍କୁ ଅତିରିକ୍ତ ୧୦ପ୍ରତିଶତ ଅର୍ଥ ପ୍ରୋତ୍ସାହନ ଦିଆଯିବ।

ସେହିପରି ବିସ୍ଥାପିତ ହେବାକୁ ଥିବା ପରିବାରଗୁଡ଼ିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପରିବାର ପିଛା ୧ଲକ୍ଷ ଟଙ୍କା ସହାୟତା ଦିଆଯିବ। ଘରଭଡ଼ା ସହାୟତା ବାବଦରେ ବିସ୍ଥାପିତଙ୍କୁ ଜମି ଅଧିଗ୍ରହଣ ହେବାଦିନଠୁ ୧୨ମାସ ପର୍ଯ୍ୟନ୍ତ ମାସିକ ୧୫ହଜାର ଟଙ୍କା ଲେଖାଏ ପରିବାର ପିଛା ଯୋଗାଇ ଦିଆଯିବ। ବାସଗୃହ ହରାଉଥିବା ପ୍ରତ୍ୟେକ ଘର ମାଲିକଙ୍କୁ ଏକକାଳୀନ ୨୦ଲକ୍ଷ ଟଙ୍କାର ଥଇଥାନ ଭତ୍ତା ଯୋଗାଇ ଦିଆଯିବ। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ।

ଦୋକାନ ଘରମାଲିକଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ୧ଲକ୍ଷ ଟଙ୍କା ଏକକାଳୀନ ସହାୟତା ଦିଆଯିବ। ଘରଭଡ଼ା ସହାୟତା ବାବଦରେ ୨୦୦ବର୍ଗମିଟର କିମ୍ବା ତା’ଠୁ କମ୍ ନିର୍ମାଣ ଅଞ୍ଚଳର ଦୋକାନ ପାଇଁ ମାସିକ ୧୫ହଜାର ଟଙ୍କା ଘରଭଡ଼ା ସହାୟତା ଓ ୨୦୦ବର୍ଗମିଟରରୁ ଅଧିକ ଥିଲେ ମାସିକ ୨୦ହଜାର ଟଙ୍କା ସହାୟତା ମିଳିବ। ଯେଉଁ ବ୍ୟବସାୟୀମାନେ ଦୋକାନ ଘର ହରାଇବେ ସେମାନଙ୍କ ପାଇଁ ୩ଟି ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ଭାବେ ସେମାନଙ୍କୁ ବଜାର ଦରର ୫୦% ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ। ଦୋକାନ ଘରର ଅବଶିଷ୍ଟ ୫୦ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ବହନ କରିବେ। ଦ୍ୱିତୀୟ ବିକଳ୍ପ ହେଉଛି ମାର୍କେଟ୍ କମ୍ପେ୍ଲକ୍ସରେ ନୂଆ ଦୋକାନ ଘର ପାଇବା ପାଇଁ ସମସ୍ତ ଦୋକାନ ହରାଉଥିବା ବ୍ୟକ୍ତି ଯୋଗ୍ୟ ବିବେଚିତ ହେବେ। ବଜାର ଦରର ୫୦% ହାରରେ ସେ ନୂଆ ଦୋକାନ ଘର କିଣିପାରିବେ।

ସେହିପରି ଦୋକାନ ମାଲିକ ଚାହିଁଲେ ତୃତୀୟ ବିକଳ୍ପ ଭାବେ ଏକକାଳୀନ ୨୦ଲକ୍ଷ ଟଙ୍କା ସହାୟତା ନେଇପାରିବେ। ସମସ୍ତ ଉଠାଦୋକାନୀଙ୍କ ପାଇଁ ମଧ୍ୟ କ୍ଷତିପୂରଣ ଘୋଷଣା କରାଯାଇଛି। ତାଲିକାଭୁକ୍ତ ସବୁ ଉଠାଦୋକାନୀଙ୍କୁ ଏକକାଳୀନ ୩୦ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେମାନେ ୨ଟି କିସ୍ତିରେ ଏହି ଟଙ୍କା ପାଇବେ। ଭେଣ୍ଡିଜୋନ୍ ପ୍ଲାନ କରାଯାଇ ଉଠାଦୋକାନୀଙ୍କୁ ବ୍ୟବସାୟ ନିମନ୍ତେ ଆବଶ୍ୟକ ସ୍ଥାନ ମଧ୍ୟ ଆବଣ୍ଟନ କରାଯିବ।

Comments are closed.