ଆଜି ୩ୟ ଟି-୨୦: ସିରିଜ୍ ବିଜୟ ଉପରେ ଟିମ୍ ଇଣ୍ଡିଆର ନଜର

ହାମିଲଟନ୍: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ତଥା ନିର୍ଣ୍ଣାୟକ ମ୍ୟାଚ୍। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧୨.୩୦ ସମୟରେ ହାମିଲଟନରେ ଖେଳାଯିବ। ଆଜିର ମ୍ୟାଚ୍ ନ୍ୟୁଜିଲାଣ୍ଡ ଦଳ ପାଇଁ କର ବା ମର ମ୍ୟାଚ୍। ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହରାଇ ୨-୦ରେ ଆଗୁଆ ଅଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ ବିଜୟୀ ହୋଇ ସିରିଜ ଦୌଡରେ ରହିବା ପାଇଁ ପ୍ରୟାସ କରିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଜିତି ନ୍ୟୁଜିଲାଣ୍ଡ ଗସ୍ତ କରିଥିବା କୋହଲି ବାହିନୀ ଲଗାତାର ପାଞ୍ଚଟି ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ସାରିଛି। ଆସନ୍ତାକାଲି ବିଜୟୀ ହେଲେ କ୍ରମାଗତ ୬ଟି ମ୍ୟାଚ୍ ଜିତିବାର ଗୌରବ ଅର୍ଜନ କରିବ।
ଅନ୍ୟପକ୍ଷରେ ଅକ୍ଲାଣ୍ଡରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଅପେକ୍ଷାକୃତ ଭଲ କ୍ରିକେଟ୍ ଖେଳିଥିବା ନ୍ୟୁଜିଲାଣ୍ଡ ସେଠାରେ ଆୟୋଜିତ ଦ୍ବିତୀୟ ମୁକାବିଲାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ତୃତୀୟ ଟ୍ବେଣ୍ଟି-୨୦ର ସ୍ଥାନ ବଦଳି ଥିବାରୁ (ଅକଲାଣ୍ଡରୁ ହାମିଲଟନ୍) ଏଠାରେ ପ୍ରଥମ ବିଜୟ ସହ ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ନ୍ୟୁଜିଲାଣ୍ଡ ସକ୍ଷମ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ଏଥିଲାଗି ଯୁବ ତାରକା କଲିନ୍ ଡି’ ଗ୍ରାଣ୍ଢୋମେଙ୍କ ସହ ନ୍ୟୁଜିଲାଣ୍ଡର ପୂରା ଶୀର୍ଷକ୍ରମକୁ ଭଲ ଖେଳିବାକୁ ହେବ। ଗ୍ରାଣ୍ଢୋମେ ପ୍ରଥମ ଦୁଇ ମୁକାବିଲାରେ (୦, ୩) ମାତ୍ର ୩ ରନ୍ କରିଛନ୍ତି। ତୃତୀୟ ମୁକାବିଲାରେ ସେ ନିଜ ବ୍ୟକ୍ତିଗତ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିବେ। ସେହିଭଳି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ମଧ୍ୟ ଆଖିଦୃଶିଆ ପାଳି ଖେଳିନାହାନ୍ତି। ବୁଧବାର ସେ ପ୍ରଶଂସକଙ୍କ ଆଶା ପୂରଣ କରିବାକୁ ପଡ଼ିଆକୁ ଓହ୍ଲାଇବେ।
Comments are closed.