Odisha Link
Bridging the Missing Links in Odisha

ଅଡ଼ୁଆରେ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ବର: ଅକଳରେ ପଡ଼ିଲେ ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। କାରଣ ଶ୍ରୀ ବେହେର ନିର୍ବାଚନ ନାମାଙ୍କନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି।  ଏହି ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରିବାକୁ ବୀରମହାରାଜପୁର ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ବୀରମହାରାଜପୁର ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଲଳିତା କୁମାରୀ ମାମଲା ରାୟ ଅନୁସାରେ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭଗବାନ ବାଘଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି। ୨୦୦୪ରେ ବିଧାୟକ ଭାବେ ନିର୍ବାଚନ ଲଢୁଥିବା ବେଳେ ଶ୍ରୀ ବେହେରା ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଓ ସେ ପଢିଥିବା ଶିକ୍ଷାନୁଷ୍ଠାନ ପ୍ରସଂଗରେ ଯେଉଁ ତଥ୍ୟ ଦେଇଥିଲେ ତାହା ପରବର୍ତ୍ତୀ ସମୟରେ ଦାଖଲ କରିଥିବା ତଥ୍ୟ ଠାରୁ ଭିନ୍ନ ଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ।

ବିଭିନ୍ନ ସମୟରେ ଶ୍ରୀ ବେହେରା ପ୍ରଦାନ କରିଥିବା ସତ୍ୟପାଠରେ ପ୍ରଦାନ କରାଯାଇଥିବା ତଥ୍ୟରେ ତାଳମେଳ ନଥିଲା। ତେଣୁ ସେ ମିଥ୍ୟା ସତ୍ୟପାଠ ଦେଇଥିଲେ ବୋଲି ସ୍ପଷ୍ଟ ହୋଇଥିବା ଦର୍ଶାଇ ଆବେଦନକାରୀ ସୁବର୍ଣ୍ଣପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ‌ଆବେଦନକାରୀ ୨୦୧୯ ଡିସେମ୍ବର ୧୩ରେ ସୁବର୍ଣ୍ଣପୁର ଏସ୍‌ପି ଓ ବୀରମହାରାଜପୁର ଥାନା ଆଇଆଇସିଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ କିଛି ପଦକ୍ଷେପ ନିଆ‌ଯାଇ ନଥିଲା। ଏହି ପ୍ରସଂଗରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗୃହ ବିଭାଗ, ସୁବର୍ଣ୍ଣପୁର ଏସ୍‌ପି ଓ ବୀରମହାରାଜପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି.କେ.ରାଉତରାୟ ମାମଲା ପରିଚାଳନା କରୁଥିଲେ।

Comments are closed.