Odisha Link
Bridging the Missing Links in Odisha

ସମ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ମଧୁମେହ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍‌ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଏବଂ ଏହାର ନିକଟବର୍ତୀ ଅଂଚଳବାସୀଙ୍କ ନିମନ୍ତେ ଆୟୋଜିତ ଏହି ଚିକିତ୍ସା ଓ ସଚେତନତା ଶିବିରରେ ୧୫୦ରୁ ଉର୍ଦ୍ଧ୍ୱ  ପୁରୁଷ ଓ ସ୍ତ୍ରୀ ଯୋଗ ଦେଇଥିଲେ। ରବିବାର ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହ ଖାଦ୍ୟ ଗ୍ରହଣ, ବ୍ୟାୟାମ ଏବଂ ସୁସ୍ଥ ଜୀବନ ଶୈଳୀ ବିଷୟରେ ପରାମର୍ଶ ଦେଇଥିଲେ । ଶିବିରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ନମୁନା ପରୀକ୍ଷା କରିବା ସହ ଆଖି ପରୀକ୍ଷା (ରେଟିନୋସ୍କୋପି), ରକ୍ତଚାପ ପରୀକ୍ଷା ଓ ଡାଇବେଟିସ୍‌ରେ ପାଦର ଯତ୍ନ ସମ୍ବନ୍ଧୀୟ ଚିକିତ୍ସା କରାଯାଇଥିଲା । ଏହି ଅବସରରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ଯେ ହସ୍ପିଟାଲ୍‌ ପକ୍ଷରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଦିନ ମାଗଣା ମଧୁମେହ ଚିକିତ୍ସା ଶିବିରର ଆୟୋଜନ କରାଯିବ।

ଏହି ଶିବିର ସକାଳ ୯ ରୁ ଦିନ ୧ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ତେଣୁ ଜନସାଧାରଣ ମଧୁମେହ ରୋଗ ସମ୍ପର୍କିତ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି । ଋବିବାର ଶିବିରରେ ରୋଗୀମାନଙ୍କର ଡାଇବେଟିସ୍‌ ସମ୍ପର୍କିତ ସଚେତନତା ଯେପରି କି ଏହି ରୋଗର ସମସ୍ୟା, ଜଟିଳତା ଓ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଜୀବନ ଶୈଳୀରେ କିଭଳି ପରିବର୍ତନ ଆଣିପାରିବେ ଓ ପାଦର ଯଦ୍ନ ନେଇପାରିବେ ସେ ନେଇ ପରାମର୍ଶ ଦିଆଯିବା ସହ ଯେଉଁମାନେ ଦୀର୍ଘ ବର୍ଷ ଧରି ମଧୁମେହ ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ସେମାନେ କିଭଳି ଏ ରୋଗ ସମ୍ପର୍କରେ ଅଧିକ ଜାଣିବେ ଓ ନିଜର ଚିକିତ୍ସା କରାଇବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞମାନେ ବୁଝାଇ ଦେଇଥିଲେ । ଏଥି ସହିତ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ, ଲିପିଡ ପ୍ରୋଫାଇଲ୍‌ (କୋଲେଷ୍ଟ୍ରାଲ୍‌ ଟେଷ୍ଟିଂ) ଓ ୟୁରିନ୍‌ ଆର୍‌/ଏମ୍‌ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ପ୍ୟାକେଜ୍‌ରେ ରିହାତି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ମଧୁମେହ ଭଳି ସମସ୍ୟା ସମ୍ପର୍କରେ ଅନେକେ ଅବଗତ ନଥିବା ବେଳେ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଜରିଆରେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି ।

ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁର ଓ ଆଖପାଖ ଅଂଚଳର ଲୋକଙ୍କ ପାଇଁ ସମ୍‌ ହସ୍ପିଟାଲ୍‌ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରୟାସ କରୁଛି ଯେପରିକି ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ସେହିପରି ମଧୁମେହ ବିଶେଷଜ୍ଞ ଡାକ୍ତର ଅମର କୁମାର ଦାସ କହିଥିଲେ ଯେ ମଧୁମେହ ରୋଗର କାରଣ ଜାଣିବା ସହ ରୋଗୀଙ୍କୁ ଚିହ୍ନଟ କିରବା ଓ ଜଟିଳତା ବିଷୟରେ ସଚେତନତା ସୃଷ୍ଟି ଏହି ଶିବିରର ଲକ୍ଷ୍ୟ । ଏହି ଶିବିରରେ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ ଓ ଚକ୍ଷୁ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ସ୍ନିଗ୍ଧା ରୋଗୀମାନଙ୍କୁ ପରୀକ୍ଷା କରିଥିଲେ । ହସ୍ପିଟାଲ୍‌ର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଶିବିରକୁ ସୁଚାରରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.