Odisha Link
Bridging the Missing Links in Odisha

ଓଡ଼ିଶା ପ୍ରଗତିର ସଫଳ ପ୍ରୟୋଗଶାଳା : ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା ହେଉଛି ଏକ ଦିବ୍ୟଭୂମି । ଏଠାରେ ପ୍ରତ୍ୟେକ ଲୋକ ଦିବ୍ୟତାର ପ୍ରତୀକ । ସାଧାରଣ ଲୋକମାନଙ୍କର ଜୀବନ ଶୈଳୀରେ ଆଧ୍ୟାତ୍ମ ଭାବ ପ୍ରତିଫଳିତ । ସାମାଜିକ ଓ ସାଂସ୍କୃତିକ ସଂହତିର ଆଦର୍ଶ ଭୂମି ଭାବରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ରାଜଭବନରେ ସାମାଜିକ ଓ ରାଜନୈତିକ ଅଧ୍ୟୟନ ଉଦ୍ଦେଶ୍ୟରେ ଆସିଥିବା ଏକ ସାମରିକ ପ୍ରତିନିଧି ଦଳକୁ ସ୍ୱାଗତ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ସମସ୍ତଙ୍କୁ ପ୍ରେମ କରିବା ଓ ସମସ୍ତଙ୍କୁ ସ୍ୱୀକାର କରିବା ହେଉଛି ଭାରତର ପରମ୍ପପରା । ଏହା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ ।

ବିବିଧତା ମଧ୍ୟରେ ଏକତାର ବାର୍ତା ପ୍ରସାର କରିଆସିଛି ଭାରତ । ଓଡ଼ିଶାରେ ସବୁ କ୍ଷେତ୍ରରେ ପ୍ରଗତି ତ୍ୱରାନ୍ୱିତ ହୋଇଛି । ଏବଂ ଭାରତ ପ୍ରଗତିର ଏହା ଉଦାହରଣଯୋଗ୍ୟ ପ୍ରୟୋଗଶାଳା ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି ।

ପ୍ରତିନିଧି ଦଳର ମୁଖ୍ୟ ଏୟାର ଭାଇସ୍ ମାର୍ଶାଲ ବି.ଭି. ଉପାଧ୍ୟାୟ ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ନିଜର ଅନୁଭୂତି ବର୍ଣ୍ଣନା କରି କହିଲେ ଯେ ଓଡ଼ିଶାରେ ଲୋକମାନଙ୍କର ଆତ୍ମସଂନ୍ତୁଷ୍ଟି ବେଶ୍ ଉଲ୍ଲେଖନୀୟ । ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ ପ୍ରକାଶ କରିଥିଲେ ।

ଏହି ପ୍ରତିନିଧି ଦଳରେ ଫ୍ରାନ୍ସ, ଇଣ୍ଡୋନେସିଆ, ନେପାଳ, ଉଗାଣ୍ଡାର ସାମରିକ ଅଧିକାରୀଙ୍କ ସମେତ ଭାରତର ସାମରିକ ଓ ବେସାମରିକ ଅଧିକାରୀମାନେ ସେମାନଙ୍କର ଅନୁଭବ, ଅନୁଭୂତି ଓ ଉପଲବ୍ଧି ବର୍ଣ୍ଣନା କରିଥିଲେ । ଏହି ସୌଜନ୍ୟ ସାକ୍ଷାତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ।

Comments are closed.