‘ହାପିନେସ୍ କ୍ଲାସ୍’ ଦେଖିବେ ମେଲାନିଆ ଟ୍ରମ୍ପ୍

ନୂଆଦିଲ୍ଲୀ: ଆସନ୍ତା ୨୪ ତାରଖ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ । ଏହି ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲ୍ ପରିଦର୍ଶନ କରିବାକୁ ଯିବେ ମେଲାନିଆ ଟ୍ରମ୍ପ୍। ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ କେଜ୍ରିଓ୍ଵାଲ୍ ସରକାର ପ୍ରଣୟନ କରିଥିବା ‘ହାପିନେସ୍ କ୍ଲାସେସ୍’ ଦେଖିବା ନିମନ୍ତେ ସେ ଦିଲ୍ଲୀ ସ୍କୁଲ୍ ପରିଦର୍ଶନ ପାଇଁ ଯିବେ।
ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୨୫ ତାରିଖ ଦିନ ମେଲାନିଆ ଟ୍ରମ୍ପ୍ ଦିଲ୍ଲୀର ଏକ ସରକାରୀ ସ୍କୁଲ୍ର ଶ୍ରେଣୀଗୃହକୁ ଯିବେ। ସ୍କୁଲ୍ ପରିଦର୍ଶନ ବେଳେ ମେଲାନିଆ ଟ୍ରମ୍ପ୍ଙ୍କୁ ସ୍ୱାଗତ ଜଣାଇବାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ରହିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାୟ ଘଣ୍ଟାଏ ଧରି ସରକାରୀ ସ୍କୁଲ୍ରେ ମେଲାନିଆ ଟ୍ରମ୍ପ୍ ରହିବେ ବୋଲି ଜଣାପଡ଼ିଛି। ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ପରସ୍ପର ସହ ସହାବସ୍ଥାନ କରିବାକୁ କିଭଳି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ତାହା ମେଲାନିଆଙ୍କୁ ଦେଖା ଯିବ।
ଏହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରୁଥିବେ। ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପ୍ ପ୍ରାୟ ୩୬ ଘଣ୍ଟା ଭାରତରେ ଅବସ୍ଥାନ କରିବେ। ଫେବୃଆରୀ ୨୪ ତାରିଖ ଅପରାହ୍ଣରେ ସେ ଅହମଦାବାଦରେ ପହଞ୍ଚିବେ। ସେଠାରୁ ସେ ଆଗ୍ରା ଭ୍ରମଣରେ ଯିବେ। ତା’ପରେ ଦିଲ୍ଲୀ ଆସିବେ। ଫେବୃଆରୀ ୨୫ ତାରିଖ ଦିନ ଟ୍ରମ୍ପ୍ ଏବଂ ମେଲାନିଆଙ୍କୁ ରାଷ୍ଟ୍ରପତି ଭବନର ଫୋର୍କୋର୍ଟରେ ଭବ୍ୟ ସ୍ୱାଗତ କରାଯିବ।