Odisha Link
Bridging the Missing Links in Odisha

ମୋଦିଙ୍କୁ ସାକ୍ଷାତ କରିବେ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟ, କହିଲେ ଯୋଗୀଙ୍କ କାର୍ଯ୍ୟକାଳରେ ହିଁ ହେବ ଭବ୍ୟ ମନ୍ଦିର

ନୂଆଦିଲ୍ଲୀ: ଗତକାଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବୈଠକ ପରେ ଆଜି ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଗୋପାଳ ଦାସ କହିଛନ୍ତି ଯେ, ମନ୍ଦିରର କାର୍ଯ୍ୟ ମାସେ ୨ ମାସ ମଧ୍ୟରେ ଆରମ୍ଭ ହୋଇଯିବ। ଏଥିସହିତ ସେ କହିଛନ୍ତି ଯେ, ମନ୍ଦିରର କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ ହେବ।

ଗତକାଲି ବୈଠକରେ ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ସେହିପରି ଚମ୍ପତ ରାୟ ସମ୍ପାଦକ ଓ ସ୍ବାମୀ ଗୋବିନ୍ଦ ଦେବ ଗିରି କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମହନ୍ତ ନିତ୍ୟ ଗୋପାଳ ହେଉଛନ୍ତି ରାମ ମନ୍ଦିର ନିର୍ମାଣ ଓ ଅଯୋଧ୍ୟା ଆନ୍ଦୋଳନର ପ୍ରଥମ ସୂତ୍ରଧର। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କେ ପରାସରନଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୂର୍ବତନ କ୍ୟାବିନେଟ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ କରାଯାଇଛି।

ମନ୍ଦିର ନିର୍ମାଣର ସମସ୍ତ ନିଷ୍ପତ୍ତି ଏବେ ନୃପେନ୍ଦ୍ର ମିଶ୍ର ହିଁ କରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ୨ରୁ ୪ଦିନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ୨ୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନୃପେନ୍ଦ୍ର ମିଶ୍ର ଭବ୍ୟ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ତଥ୍ୟ ରଖିବେ।

ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ଜ୍ଞାନେଶ କୁମାର, ଉତ୍ତରପ୍ରଦେଶ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବିନାଶ ଆୱାସ୍ତି ଓ ଅଯୋଧ୍ୟା ଜିଲାପାଳ ଅଞ୍ଜୁ କୁମାର ଝା ଉପସ୍ଥିତ ରହିଥିଲେ। ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ସମ୍ପର୍କରେ ସଂସଦରେ ସୂଚନା ଦେଇଥିଲେ। ଟ୍ରଷ୍ଟରେ ମୋଟ ୧୫ଜଣ ସଦସ୍ୟ ରହିବେ। ଏଥିରୁ ୯ଜଣ ସ୍ଥାୟୀ ସଦସ୍ୟ ଓ ୬ଜଣ ମନୋନୀତ ସଦସ୍ୟ।

Comments are closed.