Odisha Link
Bridging the Missing Links in Odisha

ନୈଶ୍ୟ ଭୋଜିରେ ଟ୍ରମ୍ପଙ୍କୁ ପରସା ଯିବ ଏହି ବ୍ୟଞ୍ଜନ

ନୂଆଦିଲ୍ଲୀ: ପରିବାର ସହ ୨ ଦିନ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଙ୍କର ଭାରତରେ ଆଜି ଅନ୍ତିମ ଦିନ। ଆଜି ବିଳମ୍ବିତ ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ପରିବାର ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀ ସହ ପୁଣି ଥରେ ରାଷ୍ଟ୍ରପତି ଭବନ ଯିବେ କାରଣ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ର ପକ୍ଷରୁ ଆୟୋଜିତ ନୈଶ୍ୟଭୋଜିରେ ଆପ୍ୟାୟିତ କରାଯିବ।

ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ନୈଶ୍ୟଭୋଜି ପାଇଁ ଏବେ ରାଷ୍ଟ୍ରପତି ଭବନର ରୋଷେୟାମାନେ ବେଶ୍‌ ତତ୍ପର ହୋଇ ଉଠିଛନ୍ତି। ତେବେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତେ ଆୟୋଜିତ ହେଉଥିବା ନୈଶ୍ୟଭୋଜିର ବିଶେଷତ୍ୱ ରହିବ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ମୁଖରେ ଯେଉଁ ଖାଦ୍ୟ ପ୍ଲେଟ୍‌ ପରସା ଯିବ ସେ ସବୁ ଖାଦ୍ୟରେ ପାରମ୍ପରିକ ଭାରତୀୟ ସ୍ୱାଦ ରହିବ କିନ୍ତୁ ଆମେରିକୀୟ ଶୈଳୀରେ ପରସା ଯିବ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ମେନ୍ୟୁ ତାଲିକାରେ ଭାରତର ‘ଷ୍ଟ୍ରିଟ୍‌ ଫୁଡ୍‌’ ଖାଦ୍ୟ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନର ‘ସିଗ୍‌ନେଚର ଡିସ୍‌’ ପର୍ଯ୍ୟନ୍ତ ସବୁ କିଛି ଉପଲବ୍ଧ ହେବ। ଷ୍ଟାଟରରେ ଆଲୁ ଟିକ୍କା, ପାମ୍ପଡ଼ି ଚାଟ ଠାରୁ ଆରମ୍ଭ କରି ସାଲମନ୍‌ ଫିସ୍‌ ଟିକ୍କା ଓ ଲେମନ କରିଏଣ୍ଡର ସୁପ୍‌ ପର୍ଯ୍ୟନ୍ତରେ ସବୁକିଛି ରହିଛି। ସେହିପରି ରାଷ୍ଟ୍ରପତି ଟ୍ରମ୍ପ ଖୁବ୍‌ ଆମିଷ ପ୍ରିୟ ଥିବାରୁ ତାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଛେଳି ମାଂସରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଛେଳି ମାଂସରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ‘ରାନ୍‌ ଆଲିସାନ୍‌’ ନାମରେ ଏକ ସ୍ୱତନ୍ତ୍ର ମେନ୍ୟୁ। ସେହିପରି ଛେଳି ମାଂସ ବିରିୟାନୀ ଠାରୁ ଆରମ୍ଭ କରି କେବଳ ମାତ୍ର ହିମାଳୟରେ ଉପଲବ୍ଧ ‘ଦମ୍‌ ଗୁଚ୍ଚି ମଟର’ ନାମକ ଏକ ବିରଳ ଓ ବହୁମୂଲ୍ୟ ଛତୁର ବିରିୟାନୀ ସହ ଅନ୍ୟ ବ୍ୟଞ୍ଜନ, ମିଣ୍ଟ ରାଇତା ଓ ‘ଡାଲ ରାଇସିନା’ ପର୍ଯ୍ୟନ୍ତ ଅନେକ ବ୍ୟଞ୍ଜନ। ସେହିପରି ମିଠାରେ ରହିଛି ହାଜଲନଟ୍‌- ଆପଲ ଏବଂ ଭାନିଲା ଆଇସ୍‌ କ୍ରିମ୍‌ ଠାରୁ ଆରମ୍ଭ କରି ରାବ୍‌ଡ଼ି ସହ ମାଲପୁଆ ଓ ଗାଜର ହାଲୁଆ ପର୍ଯ୍ୟନ୍ତ ଆହୁରି ଅନେକ ବ୍ୟଞ୍ଜନ।

Comments are closed.