ଦିଲ୍ଲୀ ହିଂସା: ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ, ଜାଫରାବାଦ ରାସ୍ତା ଖାଲି

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ନାଗରିକତା ସଂଶୋଧନ ଆଇନ ବିରୋଧରେ ନିଆଁ। ଗତକାଲି ହୋଇଥିବା ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ହିଂସାକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଦଙ୍ଗା ସୃଷ୍ଟିକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ପରେ ଜାଫରାବାଦ ରାସ୍ତା ଖାଲି ଦେଖାଯାଇଛି।
ତେବେ ଏହି ହିଂସାକାଣ୍ଡରେ ୫୬ ପୋଲିସକର୍ମଚାରୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି। ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ରାତିଅଧିଆ ଶୁଣାଣୀ ହୋଇଛି।
ବିଚାରପତି ଏସ୍. ମୁରଲୀଧରଙ୍କ ବାସଭବନରେ ବିଳମ୍ବିତ ରାତିରେ ଏହି ଶୁଣାଣୀ ହୋଇଛି। ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ନେଇ ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ତଲବ କରିଛନ୍ତି କୋର୍ଟ। ଏହାସହ ହିଂସା ବେଳେ ଆହତଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହିଂସା ବେଳେ ଆହତ ମାନେ ଚିକିତ୍ସା ପାଇଁ ମୁସ୍ତାଫାବାଦରୁ ଜିଟିବି ହସ୍ପିଟାଲକୁ ଯାଉ ପାରୁନଥିବା ଦର୍ଶାଇ ଆଇନଜୀବୀ ସରୁର ମଣ୍ଡେର ହାଇକୋର୍ଟରେ ଆବେଦନ କରିଥିଲେ। ଏନେଇ ଆଜି ମଧ୍ୟ ଶୁଣାଣୀ ହେବ । ଉତ୍ତର ପୂର୍ବ ଦିଲ୍ଲୀରେ ଉତେଜନା ଅତି ଉଗ୍ର ରୂପ ଧାରଣ କରିବା ପରେ ଜାଫରାବାଦ, ମୌଜପୁର, ବାବରପୁର ଓ ଚାନ୍ଦ ବାଗରେ କର୍ଫ୍ୟୁ ଲାଗୁ ହୋଇଛି।
ଉତରପୂର୍ବ ଦିଲ୍ଲୀରେ ପୁରା ଏକମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ସେହିପରି ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛି ସିବିଏସଇ । ଆଇପିଏସ ଏସଏନ ଶ୍ରୀବାସ୍ତବଙ୍କୁ ଆଇନ ଶୃଂଖଳା ରକ୍ଷାର ସ୍ୱତନ୍ତ୍ର କମିଶନର ଭାବେ ନିଯୁକ୍ତ କରାଯାଇଛି । ସେପଟେ ସ୍ଥିତି ନେଇ ଗତକାଲି ୨୪ ଘଣ୍ଟା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତିନି ଥର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ସ୍ଥିତି ପରଖିବା ପାଇଁ ବିଳମ୍ବିତ ରାତି ଯାଏଁ ନିଜ ଗାଡିରେ ବୁଲିବା ସହ ସ୍ଥାନିୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।