Odisha Link
Bridging the Missing Links in Odisha

ରେଭେନ୍ସାରେ ପୁଣି ଥରେ କ୍ୟାଣ୍ଟିନ୍‌ ଆରମ୍ଭ ନେଇ ଦାବି

କଟକ: ଓଡିଶାରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ମାନଙ୍କଠାରୁ କଟକ ସ୍ଥିତ ରେଭେନ୍ସା ବିଶ୍ବବିଦ୍ୟାଳୟ ଅନ୍ୟତମ। କିନ୍ତୁ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାଣ୍ଟିନ୍ ସୁବିଧା ନଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟରେ କ୍ୟାଣ୍ଟିନ୍ ନଥିବା ହେତୁ ବିଶ୍ବବିଦ୍ୟାଳୟ ଗେଟ୍‌ ବାହାରେ ବିକ୍ରି ହେଉଥିବା ରାସ୍ତାକଡ ଦୋକାନରୁ ମିଳୁଥିବା ଅସ୍ବାସ୍ଥ୍ୟକର ଖାଦ୍ୟକୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବାଧ୍ୟ ହୋଇ ଖାଇବାକୁ ପଡୁଛି ଏବଂ କିଛି ଛାତ୍ରଛାତ୍ରୀ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଉପାସ ରହିବାକୁ ଉଚିତ୍‌ ମନେ କରୁଛନ୍ତି।

ଏହି ସମସ୍ୟା ସମ୍ପର୍କରେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର କହିଛନ୍ତି ଯେ, ଆମେ ଏଠାରେ ପ୍ରତିଦିନ ୬ରୁ ୮ ଘଣ୍ଟା ସମୟ ରହୁଛୁ ମାତ୍ର କିଛି ଖାଇବା ପାଇଁ ଏଠାରେ କ୍ୟାଣ୍ଟିନ୍ ସୁବିଧା ନାହିଁ। ଫଳରେ ଆମକୁ ରାସ୍ତାକଡ ଦୋକାନରୁ ମିଳୁଥିବା ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡୁଛି ଯାହା ମହଙ୍ଗା ମଧ୍ୟ। ଏଥସହ ଆଉ ଜଣେ ଛାତ୍ର କହିଛନ୍ତି ଯେ, ଓଡିଶାର ଛୋଟ ଛୋଟ ଶିକ୍ଷାନୁଷ୍ଠାନରେ କ୍ୟାଣ୍ଟିନ୍ ସୁବିଧା ଥିବା ବେଳେ ରେଭେନ୍ସା ଭଳି ଏକ ପୁରାତନ ବିଶ୍ବବିଦ୍ୟାଳୟରେ କ୍ୟାଣ୍ଟିନ୍ ସୁବିଧା ନାହିଁ। ଆମେ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛୁ ମାତ୍ର ଏ ଦିଗରେ କୌଣସି ସୁଫଳ ମିଳିପାରି ନାହିଁ।
କ୍ୟାଣ୍ଟିନ୍‌ ସମସ୍ୟା ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ରେଜିଷ୍ଟର ଅଶୋକ କୁମାର ଦାସ କହିଛନ୍ତି ଯେ, ଆମେ ଲୋକ ନିର୍ମାଣ ବିଭାଗ ସହ କ୍ୟାଣ୍ଟିନ୍‌ର ମରାମତି ପାଇଁ ଆଲୋଚନା କରିଛିୁ। ଏଥିସହ କ୍ୟାଣ୍ଟିନ୍ ପରିଚାଳନା ପାଇଁ ଏକ ବେସରକାରୀ ସଂସ୍ଥା ସହ ଅଲୋଚନା କରାଯାଉଛି।

ସୂଚନାଯୋଗ୍ୟ, ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ଦେବା ପାଇଁ ୪ ବର୍ଷ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରେ ଏକ କ୍ୟାଣ୍ଟିନ୍‌ ଥିଲା। ମାତ୍ର ସେଠାର ଅସ୍ବାସ୍ଥ୍ୟକର ଖାଦ୍ୟ ପରିବେଶଣ ଯୋଗୁଁ କିଛି ଛାତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ କ୍ୟାଣ୍ଟିନ୍ ବନ୍ଦ କରି ଦେଇଥିଲେ।

Comments are closed.