Odisha Link
Bridging the Missing Links in Odisha

ରାଜରାସ୍ତାରେ ଶିକ୍ଷୟିତ୍ରୀଙ୍କ ନ୍ୟାୟ ଭିକ୍ଷା

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଜଣେ ଶିକ୍ଷୟିତ୍ରୀଙ୍କର ନ୍ୟାୟ ଭିକ୍ଷାର କୁରଣ ଦୃଶ୍ୟ ଦେଖିବାକୁ ମିଳିଛି।ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏପରି ଭାବେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଜଣେ ଶିକ୍ଷୟିତ୍ରୀ। ଶିକ୍ଷୟିତ୍ରୀଜଣକ ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ବୋଲି ଜଣାଯାଇଛି। ୩୩ ବର୍ଷ ଚାକିରି କାଳ ମଧ୍ୟରେ ୧୯ ଥର ବଦଳି ହୋଇଥିବା ବେଳେ ୩ ଥର ସସ୍ପେଣ୍ଡ ହୋଇଥିବା ନେଇ ଶିକ୍ଷୟିତ୍ରୀ ଜଣକ କହିଛନ୍ତି । ଏଥିସହ ଅଢେଇ ବର୍ଷ ହେଲା ଦରମା ନ ପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛି। ଘର ଚଳାଇବା ପାଇଁ ଟଙ୍କା ନାହିଁ। ମୋତେ ଗୋଟିଏ ଟଙ୍କାଟେ ଦିଅ ବୋଲି କହିଛନ୍ତି ଶିକ୍ଷୟିତ୍ରୀ ଜଣକ।

ଶିକ୍ଷୟିତ୍ରୀ ଜଣକ ଚଳିବା ପାଇଁ ଟଙ୍କା ମାଗୁଥିବା ବେଳେ ଜଣେ ଯୁବତୀଙ୍କ ନଜରକୁ ଆସିଥିଲେ । ଅତ୍ୟଧିକ ଖରା ଯୋଗୁ ଶିକ୍ଷୟିତ୍ରୀଜଣକ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ ମସିହା ନଭେମ୍ବର ମାସରେ ଦାବି ପୂରଣ ନେଇ ନବୀନ ନିବାସ ଆଗରେ ବସିଥିଲେ। ହେଲେ ପୁଲିସ୍‌ ସେଠାରୁ ତାଙ୍କୁ ତଡିଦେଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ୍‌, ମାନବାଧିକାର କମିଶନ, ମହିଳା କମିଶନ ଦ୍ୱାରସ୍ଥ ହୋଇ ବି ନ୍ୟାୟ ପାଇପାରୁ ନାହାନ୍ତି। ଆଉ ଅଳ୍ପ ଦିନରେ ତାଙ୍କର ଚାକିରି କାଳ ଶେଷ ହେବାକୁ ବସିଥିବା ବେଳେ ତାଙ୍କ ପାଉଣା ଦିଆଯାଉ ନ ଥିବାରୁ ବହୁ କଷ୍ଟରେ ରୋଗାକ୍ରାନ୍ତ ହୋଇ ଜୀବନ କାଟୁଛନ୍ତି। ଘର ଚଳାଇବାକୁ ଟଙ୍କା ନ ଥିବା ବେଳେ ମେଡିସିନ ଖାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି ବୋଲି ଶିକ୍ଷୟିତ୍ରୀ ଜଣକ କହିଛନ୍ତି।

Comments are closed.