Odisha Link
Bridging the Missing Links in Odisha

କରୋନା ପାଇଁ ଆଡଭାଇଜରି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦିନକୁ ଦିନ କରୋନାକୁ ନେଇ ଭୟ ବଢିବାର ଲାଗୁଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଏପରି ପରିସ୍ଥିତିରେ ସଂକ୍ରମଣକୁ ଦୂରେଇ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

ଆଡଭାଇଜରି ମୁତାବକ, କାର୍ଯ୍ୟକ୍ଷେତ୍ରକୁ ସ୍ୱଚ୍ଛ ଓ ପରିଷ୍କାର ରଖନ୍ତୁ। ଡେସ୍କ, ଟେବୁଲ, ଟେଲିଫୋନ, କଂପୁଟର କି ବୋର୍ଡ ଗୁଡିକୁ ନିୟମିତ ସଫା କରନ୍ତୁ। ହାତକୁ ବାରମ୍ବାର ଭଲଭାବେ ଧୁଅନ୍ତୁ। ୱାସ ବେସିନ ନିକଟରେ ସାବୁନ, ସାନିଟାଇଜର ରଖନ୍ତୁ। ହାତ କିପରି ଧୋଇବେ ସେ ନେଇ କର୍ମଚାରୀଙ୍କୁ ପୋଷ୍ଟର ମାଧ୍ୟମରେ ଜଣାନ୍ତୁ। କାର୍ଯ୍ୟକ୍ଷେତ୍ରରେ ଟିସୁ ପେପର, ମାସ୍କ ଓ ବନ୍ଦ ଥିବା ଡଷ୍ଟ ବିନ୍ ରଖନ୍ତୁ। ଯଦି କୌଣସି କର୍ମଚାରୀଙ୍କ ଠାରେ ଥଣ୍ଡା କିମ୍ବା ଜ୍ୱରର ଲକ୍ଷଣ ଦେଖାଯାଉଛି ତେବେ ସେମାନଙ୍କୁ ଘରେ ଏକୁଟିଆ ରହି ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି। କର୍ମଚାରୀଙ୍କ ଠାରୁ ସର୍ବନିମ୍ନ ଏକ ମିଟର ଦୂରତାରେ ରହନ୍ତୁ। ପରସ୍ପର ସହ ହାତ ମିଳାନ୍ତୁ ନାହିଁ। ଅତି ଆବଶ୍ୟକ ନଥିଲେ ଜନଗହଳି ସ୍ଥାନ, ମଲ୍, ମାର୍କେଟ, ଷ୍ଟେସନ, ବସଷ୍ଟାଣ୍ଡକୁ ଯିବା ପାଇଁ ବାରଣ କରାଯାଇଛି। ଥଣ୍ଡା, କାଶ, ଜ୍ୱରରେ ପୀଡିତ ଥିବା କର୍ମଚାରୀଙ୍କ ଠାରୁ ଦୂରରେ ରୁହନ୍ତୁ। ଜରୁରୀ ଆବଶ୍ୟକ ନଥିଲେ କରୋନା ସଂକ୍ରମିତ ହୋଇଥିବା ଦେଶଗୁଡିକୁ କର୍ମଚାରୀମାନଙ୍କୁ ପଠାନ୍ତୁ ନାହିଁ।

Comments are closed.