Odisha Link
Bridging the Missing Links in Odisha

ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ପାଇଁ ଏକ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ସଞ୍ଚନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଦ୍ୟାବଧି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆବଶ୍ୟକ ଥିବା ୨୪୯୫୪୧୨୭ ପାଠ୍ୟ ପୁସ୍ତକ ମଧ୍ୟରୁ ୨୪୨୧୪୭୧୨ ପାଠ୍ୟ ପୁସ୍ତକ ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବିତରଣ କରାଯାଇଛି, ଯାହାକି ୯୯ ପ୍ରତିଶତ ଅଟେ ।

ଆସନ୍ତା ଅପ୍ରେଲ ୩ ତାରିଖରେ ହେବାକୁ ଥିବା ପ୍ରବେଶ ଉତ୍ସବ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯିବାକୁ ସ୍ଥିର କରାଯାଇଛି । ସେହି ପରି ନବମ ଓ ଦଶମ ଶ୍ରେଣୀସ୍ତରରେ ଆବଶ୍ୟକ ପଡ଼ୁଥିବା ଆନୁମାନିକ ୮ ଲକ୍ଷ ପାଠ୍ୟ ପୁସ୍ତକ ମୁଦ୍ରଣ କରାଯାଇ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସମସ୍ତ ବିତରଣକାରୀଙ୍କୁ ଅବଗତ କରିବା ପାଇଁ ସ୍ଥିର କରାଯାଇଛି ।

ଏଥି ସହିତ ମାର୍ଚ୍ଚ ୨୪ ତାରିଖରୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ ବିତରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୨.୫ ଲକ୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଦ୍ୟାର୍ଥୀମାନଙ୍କ ପାଇଁ ମାଗଣା ପାଠ୍ୟ ପୁସ୍ତକ ବିତରଣ ଏହି ସମୟ ମଧ୍ୟରେ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଚଳିତ ବର୍ଷଠାରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦ୍ଦେଶାଳୟମାନେ ବର୍ଷ ତମାମ କାର୍ଯ୍ୟକ୍ରମର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ତ ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓସେପା ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ରମେଶ କେର୍‌କେଟା, ଯୁଗ୍ମ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଶିକ୍ଷା ପରାମର୍ଶଦାତା ଖଗେନ୍ଦ୍ର କୁମାର ପାଢ଼ୀ, ଉପନିର୍ଦ୍ଦେଶକ, ଉପଶାସନ ସଚିବ ପ୍ରଣତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.