Odisha Link
Bridging the Missing Links in Odisha

କରୋନା ଆକ୍ରାନ୍ତଙ୍କୁ ମିଳିବ ମାଗଣା ମାସ୍କ ଓ ସାନିଟାଇଜର

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଲୋକସଭା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ଶେଷରେ ରାଜ୍ୟ ସ୍ବାସ୍ଥ୍ୟସଚିବ ନିକୁଞ୍ଜ ଧଳ ସୂଚନା ଦେଇ କହିଛନ୍ତି ଯେ, କରୋନା ପାଇଁ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଏଥିସହ ସୁସ୍ଥ ଲୋକମାନେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଯେଉଁମାନେ କେବଳ ଥଣ୍ଡା, ଛିଙ୍କରେ ଆକ୍ରାନ୍ତ ସେମାନେ ମାସ୍କ ବ୍ୟବହାର କରନ୍ତୁ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କୁ ମାଗଣା ମାସ୍କ ଓ ସାନିଟାଇଜର ମିଳିବ। ଭୁବନେଶ୍ବର ଆର୍‌ଏମ୍‌ଆର୍‌ସି ରେ ଖୁବ ଶୀଘ୍ର କରୋନା ଟେଷ୍ଟିଂ ସୁବିଧା ହେବ। ଏହି ବୈଠକରେ ରାଜ୍ୟରେ କରୋନା ସତର୍କତା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବୈଠକରେ ପରେ ଲୋକସଭା ଓ ସାଧରଣ ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ଆଡଭାଇଜରୀ ଅନୁଯାୟୀ, ଲୋକମାନେ ଅଯଥା ବିଦେଶ ଗସ୍ତ କରିବାକୁ ବାରଣ କରାଯାଇଛି।

ଲୋକସଭାର ସାଂସଦ ଓ ସରକାରୀ ବାବୁମାନଙ୍କ ପାଇଁ ମଧ୍ୟ ନୂଆ ଆଡଭାଇଜରୀ ଜାରି କରାଯାଇଛି। ସଂସଦରେ ଭିଜିଟରଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଏଥିସହ ସଂସଦ ମଧ୍ୟରେ ବାହାର ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ପରସ୍ପର ସହ ହାତ ମିଳାଇବା ଓ ଆଲିଙ୍ଗନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଆସନ୍ତା ସପ୍ତାହରୁ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ସଂସଦ ମଧ୍ୟରେ ବାହାର ଲୋକଙ୍କୁ ଭେଟି ପାରିବେ ନାହିଁ। ସାଂସଦମାନେ ସେମାନଙ୍କ ଭିଜିଟରଙ୍କୁ ସଂସଦ ମଧ୍ୟରେ ବୁଲାଇ ପାରିବେ ନାହିଁ। ସେହିପରି ସରକାରୀ ବାବୁମାନେ ଆସନ୍ତା ୩୧ ତାରିଖ ଯାଏ ବାଓମେଟ୍ରିକ ଉପସ୍ଥାନ ଦେବେ ନାହିଁ। ଏହି ସମୟସୀମା ମଧ୍ୟରେ ସେମାନେ ନିଜର ଉପସ୍ଥାନ କାଗଜ କଲମରେ ଦେଇପାରିବେ। ଏହି ନିୟମ ସବୁ ସରକାରୀ ଅଫିସରେ ଲାଗୁ ହେବ।

Comments are closed.