ଭାରତରେ କରୋନା ଆତଙ୍କ: ଆକ୍ରାନ୍ତ ସଂଖ୍ୟା ୬୨କୁ ବୃଦ୍ଧି

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କାୟା ବିସ୍ତାର କରୁଛି କରୋନା। ଭାରତରେ କରୋନା ଭାଇରସ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି। ଏବେ ୧୮ ଜଣଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି। କେରଳରେ ୮ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକରେ ୪ଟି ଏବଂ ଜମ୍ମୁ ଓ କାଶ୍ମୀରରେ ଗୋଟିଏ ରିପୋର୍ଟ ପଜିଟିଭି ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେରଳରେ ମୋଟ ୧୪୯୫ ଜଣ କରୋନା ସନ୍ଦିଗ୍ଧଙ୍କୁ ଅବଜର୍ଭେସନ୍ରେ ରଖାଯାଇଛି।
କରୋନା ଭାଇରସ୍ ସଂକ୍ରମଣ ଦୃଷ୍ଟିରେ ରଖି ଆଉ ତିନିଟି ଦେଶର ନାଗରିକଙ୍କ ଭାରତ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର। ସେମାନେ ହେଉଛନ୍ତି ଫ୍ରାନ୍ସ, ଜର୍ମାନି ଏବଂ ସ୍ପେନ୍ର ନାଗରିକ। ସେମାନଙ୍କୁ ଦିଆଯାଇଥିବା ରେଗୁଲାର ଏବଂ ଇ-ଭିସାଗୁଡ଼ିକୁ ରଦ୍ଦ କରାଯାଇଛି। ପୂର୍ବରୁ ଚୀନ୍, ଇରାନ୍, ଇଟାଲି, ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ଜର୍ମାନି ଏବଂ ସ୍ପେନ୍ ନାଗରିକଙ୍କୁ ଦିଆଯାଇଥିବା ଭିସାଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।
ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି। ଚୀନ୍ରେ ସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଅନ୍ୟ ଦେଶ ବିଶେଷକରି ଇଟାଲୀ ଓ ଇରାନ୍ରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଇଟାଲୀରେ ୯୭ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭୯୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଇରାନରେ ନୂଆ ୫୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏସ୍ସିବିରେ ଚିକିତ୍ସାଧୀନ ଥିବା ସମସ୍ତ ୫ ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି।