Odisha Link
Bridging the Missing Links in Odisha

୨୨ ବିଧାୟକଙ୍କ ସହ ବିଜେପିରେ ମିଶିବେ ସିନ୍ଦିଅ, ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀ

ଭୋପାଳ: ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଥିବା ବେଳେ ତା’ ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାରେ ଭଟ୍ଟା ପଡ଼ିବାକୁ ଯାଉଛି। କଂଗ୍ରେସରୁ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଦିଅ ନିଜର ୨୨ ସମର୍ଥକ ବିଧାୟକଙ୍କୁ ନେଇ ଆଜି ବା ଆସନ୍ତାକାଲି ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି। ୨୨ ବିଧାୟକ ଦଳ ଛାଡ଼ିବା ପରେ ମଧ୍ୟପ୍ରଦେଶ ବିଧାନସଭାରେ ଏବେ ଶାସନରେ ଥିବା କଂଗ୍ରେସ୍‌ ସଂଖ୍ୟାଲଘୁ ହୋଇଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୪ ଥର ସାଂସଦ ଓ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଦିଅ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ପଦାଙ୍କ ଅନୁସରଣ କରି ମଧ୍ୟପ୍ରଦେଶ ବିଧାନସଭାର ୨୨ ଜଣ କଂଗ୍ରେସ୍‌ ବିଧାୟକ ମଧ୍ୟ ଦଳ ଛାଡ଼ିଥିଲେ। ଆଉ ୭-୮ ଜଣ ବିଧାୟକ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି ଇସ୍ତଫା ଦେଇ ବର୍ତ୍ତମାନ ବାଙ୍ଗାଲୋରରେ ଅବସ୍ଥାନ କରିଥିବା ୧୯ ବିଧାୟକ ଦାବି କରିଛନ୍ତି।
ସିନ୍ଦିଅ ଏହି ୨୨ ବିଧାୟକଙ୍କ ସହ ଆଜି କିମ୍ବା ଆସନ୍ତାକାଲି ବିଜେପିରେ ଯୋଗଦେବାର ଯୋଜନା ରହିଛି। ବିଜେପି ଯଦି ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ସମର୍ଥ ହୁଏ ସିନ୍ଦିଅଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ଏଡ଼ାଇ ଦିଆଯାଇ ନପାରେ। ଅଥବା ତାଙ୍କୁ ରାଜ୍ୟସଭାକୁ ନେଇ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ୧୧୪ ବିଧାୟକ ରହିଥିବା ବେଳେ ଆଉ ୭ ଜଣ ସହଯୋଗୀ ବିଧାୟକଙ୍କୁ ନେଇ ମୋଟ ୧୨୧ ଆସନରେ କଂଗ୍ରେସ୍‌ ସରକାର ଗଢ଼ିଛି। ତେବେ ବିରୋଧୀ ଆସନରେ ଥିବା ବିଜେପି ହାତରେ ୧୦୭ ବିଧାୟକ ଅଛନ୍ତି। ଇସ୍ତଫା ଦେଇଥିବା ୨୨ ବିଧାୟକ ବିଜେପିରେ ଯୋଗଦେବା ପରେ କଂଗ୍ରେସ ଓ ସହଯୋଗୀଙ୍କ ସଂଖ୍ୟା ୯୯କୁ ଖସିଆସିବ। ଅପରପକ୍ଷେ ୧୨୯ ସଦସ୍ୟଙ୍କୁ ନେଇ ବିଜେପି ସରକାର ଗଢ଼ିବାରେ ସମର୍ଥ ହେବ। ୨ଟି ଆସନ ଖାଲି ପଡ଼ିଥିବା ବେଳେ ମଧ୍ୟପ୍ରଦେଶରେ ସରକାର ଗଢ଼ିବା ପାଇଁ ୧୧୫ ବିଧାୟକଙ୍କ ସମର୍ଥନ ଲୋଡ଼ା।

Comments are closed.