ଓଡିଶାରେ କରୋନା, ସ୍ପଷ୍ଟ କଲେ ସରକାର
ଭୁବନେଶ୍ବର: ଓଡିଶାରେ କରୋନା ନେଇ ସ୍ପଷ୍ଟ କଲେ ସରକାର। ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ପ୍ରେସ୍ ମିଟ୍ରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଇଟାଲୀରୁ ଫେରିଥିବା ୩୩ ବର୍ଷୀୟ ଯୁବକ କରେନା ଆକ୍ରାନ୍ତ ହୋଇ ଏବେ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ ଆଇସୋଲେସନ୍ ଓ୍ବାର୍ଡରେରେ ଅଛନ୍ତି। ସେ ୯ ଦିନ ତଳେ ଦିଲ୍ଲୀ ଆସିଥିବା ବେଳେ ୪ ଦିନ ତଳେ ଓଡ଼ିଶା ଫେରିଥିଲେ` ଚଳିତ ମାସ ୬ ତାରିଖରେ ଯୁବକ ଜଣଙ୍କ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ।
ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା। ତାଙ୍କୁ ୧୧ ତାରିଖ ଯାଏଁ ଖ୍ବାରାଣ୍ଟିନ୍ରେ ରଖାଯାଇଥିଲା। ତାଙ୍କ ଠାରେ କରୋନାର ଲକ୍ଷଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ପରେ ଯୁବକ ଜଣଙ୍କ ଟ୍ରେନ୍ ଯୋଗେ ଆସି ୧୨ ତାରିଖ ସଂଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିଥିଲେ। ଭୁବନେଶ୍ବରରେ ତାଙ୍କୁ ଥଣ୍ଡା ଓ ଜ୍ବର ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥିଲେ। ଔଷଧର କୌଣସି ସୁଫଳ ନ ମିଳିବାରୁ ଗତକାଲି ସେ କ୍ୟାପିଟାଲ୍ ହସ୍ପିଟାଲ ଆସିଥିଲେ।
ଯୁବକ ଜଣଙ୍କ ଇଟାଲୀରୁ ଫେରିଥିବା ଜାଣି ଡାକ୍ତରଖାନା କର୍ତୃପକ୍ଷ କରୋନା ସନ୍ଦେହ କରି ତାଙ୍କର ରକ୍ତ ଓ ସ୍ବାବ୍ ପରୀକ୍ଷା ପାଇଁ ପଠାଇଥିଲେ। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ଜ୍ବର ଛାଡ଼ିଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ଦୁଇଦିନ ଘରେ ଥିବାରୁ ତାଙ୍କ ବାପା ଓ ଘରର କର୍ମଚାରୀଙ୍କର ମଧ୍ୟ ରକ୍ତ ଓ ସ୍ବାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି। ଯୁବକ ଜଣକ ଯେଉଁ ନିର୍ଦ୍ଦିଷ୍ଟ ବଗିରେ ଦିଲ୍ଲୀରୁ ଫେରିଥିଲେ ସେଥିରେ କେଉଁମାନେ ତାଙ୍କ ପାଖରେ ବସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି। କରୋନା ଆକ୍ରାନ୍ତ ଯୁବକଙ୍କ ପରିଚୟ କିମ୍ବା ସନ୍ଦିଗ୍ଧଙ୍କ ପରିଚୟ ଗୋପନ ରଖିବାକୁ ଗଣମାଧ୍ୟମକୁ ଅପିଲ୍ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।
Comments are closed.