ଆଇସୋଲେଶନରେ ଅଛନ୍ତି ବଲିଉଡର ଦୁଇ ମହାନାୟକ

ମୁମ୍ବାଇ :ଚୀନ୍ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ତେଣୁ ବିଦେଶକୁ ଯାତାୟତ ପାଇଁ କଟକଣା କରାଯାଇଛି ।
ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ୬୬ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ଏକ ହୋଟେଲରେ ଆଇସୋଲେଶନ୍ରେ ରଖାଯାଇଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡିଆରେ ଅନୁପ ଏକ ଫଟୋ ଶେୟାର କରିବା ସହ ଆଇସୋଲେଶନ୍ରେ ଥିବା ନେଇ ସୂଚନା ଦେଇଛନ୍ତି ।
ଏହି ଫଟୋରେ ତାଙ୍କୁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଅନୁପ ଲଣ୍ଡନରୁ ମୁମ୍ବାଇକୁ ଫେରିଥିଲେ। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ଡାକ୍ତରୀ ଦଳର ତାଙ୍କୁ ସ୍କାନିଂ କରିଥିଲେ ।
ଏହାପରେ ତାଙ୍କୁ ହୋଟେଲ ମିରାଜରେ ଆଇସୋଲେଶନ୍ କରି ରଖାଯାଇଥିଲା। କେବଳ ତାଙ୍କୁ ନୁହେଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉକ୍ତ ହୋଟେଲରେ ଆଇସୋଲେଶନ୍ କରି ରଖାଯାଇଛି। ଏକ ୨୫ଜଣିଆ ଡାକ୍ତରୀ ଦଳ ସେମାନଙ୍କର ପରୀକ୍ଷା କରୁଥିବା ସୂଚନା ମିଳିଛି। ତେବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଦିଆଯାଉଥିବା ମେଡିକାଲ କେୟାରକୁ ଅନୁପ ପ୍ରଶଂସା କରିଛନ୍ତି ।
ବଲିଉଡର ଆଉ ଜଣେ ଅଭିନେତା ଦିଲ୍ଲୀପ କୁମାରଙ୍କୁ ମଧ୍ୟ ଆଇସୋଲେଶନରେ ରଖାଯାଇଛି । ଏହା ଅଭିନେତା ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋନା ଭାଇରସ କାରଣରୁ ତାଙ୍କୁ ଆଇସୋଲେଶନ ଓ କ୍ୱାରାଣ୍ଟାଇନରେ ରଖାଯାଇଛି ।
ପତ୍ନୀ ସାଇରା ବାନୁ ତାଙ୍କର ସମସ୍ତ ଯତ୍ନ ନେଉଥିବା ବେଳେ ଯେମିତି ତାଙ୍କୁ କୌଣସି ସଂକ୍ରମଣ ନ ହେବ ସେଥିପ୍ରତି ସାଇରା ବିଶେଷ ଧ୍ୟାନ ଦେଇଛନ୍ତି ବୋଲି ଟ୍ରାଜେଡି କିଙ୍ଗ ଉଲ୍ଲେଖ କରିଛନ୍ତି । ୯୭ ବର୍ଷୀୟ ଅଭିନେତା ଦିଲ୍ଲୀପ କୁମାର ଆହୁରି ମଧ୍ୟ କହିଛନ୍ତି କରୋନା ଦାଉରୁ ରକ୍ଷା ପାଇବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ମାନି ଚଳନ୍ତୁ ଓ ଯେତେ ସମ୍ଭବ ନିଜକୁ ଘରେ ରଖିବାକୁ ଚେଷ୍ଟା କରନ୍ତୁ ।