Odisha Link
Bridging the Missing Links in Odisha

ଆତଙ୍କିତ ନହୋଇ ‘କରୋନା’ ମହାମାରୀ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ : ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର : ସଂପ୍ରତି ଭୟାବହ ‘କରୋନା’ ଭୂତାଣୁ ସଂକ୍ରମଣ ସମଗ୍ର ପୃଥିବୀର ମାନବ ଜାତି ପାଇଁ ଏକ ଆହ୍ୱାନ ଭାବରେ ଦେଖା ଦେଇଛି । ଏହାର ସଫଳ ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଦରକାର । ଓଡ଼ିଶାରେ ରାଜ୍ୟ ସରକାର ଅନେକ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ନେଇଛନ୍ତି ।

ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ନିୟମିତ ସମୀକ୍ଷା ଓ ଆବଶ୍ୟକତା ମୁତାବକ ତ୍ୱରିତ ପଦକ୍ଷେପ ନେଉଛନ୍ତି । ନିଜକୁ ତଥାଅନ୍ୟମାନଙ୍କୁ ‘କରୋନା’ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ସହଯୋଗ ଓ ସକାରାତ୍ମକ କ୍ରିୟାଶୀଳତା ପ୍ରଦର୍ଶନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

‘କରୋନା’ ଭୂତାଣୁ ସଂକ୍ରମଣକୁ ସାମଗ୍ରିକ ଭାବରେ ମଣିଷର କରୁଣାହୀନ ଆଚରଣର ଫଳ ବୋଲି ପ୍ରକାଶ କରି ରାଜ୍ୟ ପାଳ ପ୍ରଫେସର ଲାଲ କହିଛନ୍ତି ଯେ ପ୍ରକୃତି ସହ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ଓ ଦାୟିତ୍ୱ ପୂର୍ଣ୍ଣ ଜୀବନଶୈଳୀ ହେଉଛି ସୃଷ୍ଟିର ମୂଳମନ୍ତ୍ର ।

ଏଥିରେ ବିଚ୍ୟୁତି ହେଲେ ଅନେକ ବିଭ୍ରାଟ ସୃଷ୍ଟି ହୁଏ ଓ ‘କରୋନା’ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ । ଆଧ୍ୟାତ୍ମିକତା ହେଉଛି ଭାରତୀୟତାର ଆତ୍ମା । ଏହାକୁ ଆଧାର କରି ଜୀବନଯାପନ କରିବା ବିଧେୟ ।

ଓଡ଼ିଶା ହେଉଛି ଦିବ୍ୟଭୂମି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଜେସ୍ଥାନ । ଓଡ଼ିଶାର ଜନଜୀବନ ଆଧ୍ୟାତ୍ମିକ ଭାବ ଧାରାରେ ପରିଚାଳିତ । ମହା ପ୍ରଭୁଙ୍କ ଛତ୍ରଛାୟାରେ ରହିଛି ସାରା ଓଡ଼ିଶା । ଏଠାରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆଶା କରାନଯାଇ ପାରେ ।

ଯେକୌଣସି ବିପଦକୁ ସାମ୍ନା କରିବାକୁ ଓଡ଼ିଶାବାସୀଙ୍କ ନିକଟରେ ରହିଛି ପ୍ରଭୂତ ନୈତିକ ଶକ୍ତି ଓ ମାନସିକ ସାମର୍ଥ୍ୟ, ଏଣୁ ଆତଙ୍କିତ ନହୋଇ ‘କରୋନା’ ମହାମାରୀ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢ଼ି ବିଜୟ ହାସଲ କରିଛି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଛି । ‘କରୋନା’ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଦର୍ଶ ଭୂମିକା ନେବ ।

ଏଥି ପାଇଁ ଦରକାର ସମ୍ମିଳିତ ପ୍ରୟାସ ଓ ଆବଶ୍ୟକ ପ୍ରତିରୋଧମୂଳକ ବ୍ୟବସ୍ଥାବଳୀର ପ୍ରୟୋଗ । ତେବେ ଏହି ସ୍ଥିତିରେ ମାନବସମାଜ ପାଇଁ ଯେଉଁ ବାର୍ତ୍ତା ରହିଛି, ତାକୁ ଗ୍ରହଣ କରି ଭବିଷ୍ୟତର କାର୍ଯ୍ୟ ପନ୍ଥା, ଜୀବନଶୈଳୀ ଓ ପ୍ରକୃତି ଅନୁକୂଳ ଭାବଧାରାକୁ ଆପଣାଇବାକୁ ରାଜ୍ୟପାଳ ପ୍ରଫେସର ଲାଲ ଆହ୍ୱାନ ଦେଇଛନ୍ତି ।

Comments are closed.