କରୋନା ଗୀତ: ହ୍ୟୁମାନ୍ ସାଗରଙ୍କ ସଫେଇ

ଭୁବନେଶ୍ୱର: କରୋନା ଉପରେ ଗୀତ ଗାଇ ବିବାଦ ଘେରକୁ ଟାଣି ହୋଇ ଆସିବା ପରେ, ଆଜି ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କ ଗୀତ ‘ଝିଅ ନୁହେଁ ତୁ କରୋନା ଭାଇରସ’ ଉପରେ ସଫେଇ ଦେଇଛନ୍ତି। ହ୍ୟୁମାନ କହିଛନ୍ତି ଯେ, ଗୀତ କିମ୍ବା ଅନ୍ୟ ମାଧ୍ୟମରେ ଝିଆ ଓ ନାରୀଙ୍କୁ ପରିହାସ କରିପାରିବି ନାହିଁ। କରୋନା ଗୀତ ରେକର୍ଡିଂ ବେଳେ କରୋନା ଭାଇରସ୍ ବିଷୟରେ ଜାଣିନଥିଲି। କରୋନାକୁ ନେଇ ସେତେବେଳେ ମୋର ବେଶୀ କିଛି ଜ୍ଞାନ ନଥିଲା। କରୋନା ଗୀତ ବିବାଦକୁ ଆସିବା ପରେ ନିର୍ଦ୍ଦେଶକଙ୍କୁ କହି ୟୁଟ୍ୟୁବରୁ ହଟାଇ ଥିଲି। ମୁଁ ସମସ୍ତଙ୍କ ସମ୍ମାନ କରେ, ନାରୀ ଉପରେ କମେଣ୍ଟ କରି ପାରିବିନି।
ସୂଚନାଯୋଗ୍ୟ; କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ ଓ ଭୟଭୀତ ଥିବା ବେଳେ, ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୀତ ‘ଝିଅ ନୁହେଁ ତୁ କରୋନା ଭାଇରସ’କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏଥିସହ ଏହି ଗୀତକୁ ଓଡ଼ିଶାର ନାମକରା ସଙ୍ଗୀତଜ୍ଞମାନେ ମଧ୍ୟ ବିରୋଧ କରିଛନ୍ତି। ସଙ୍ଗୀତଜ୍ଞ ସଂଗୀତା ଗୋସାଇଁ କହିଥିଲେ ଯେ, ଏହି ସମୟରେ ଏ ପ୍ରକାର ଗୀତ ନିନ୍ଦନୀୟ। ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ କହିଥିଲେ ଯେ, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତ ଉଚିତ୍ ନଥିଲା।