ଭୋକର ଭୂତାଣୁ ବନାମ କରୋନା
ଶୁଭ୍ରାଂଶୁ ପଣ୍ଡାଙ୍କ ଅନିୟମିତ ସ୍ତମ୍ଭ ଶୁଭସ୍ବର
ଭୋକର ଭୂତାଣୁ ବନାମ କରୋନା
ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି। ଏଯାବତ୍ ୭୦୦୦ରୁ ଅଧିକ ଲୋକଙ୍କର କରୋନା କାରଣରୁ ଜୀବନହାନି ହେଲାଣି। ଏହାକୁ ବିଶ୍ବର ଅନ୍ୟତମ ମହାମାରୀର ଆଖ୍ୟା ଦିଆଯାଉଛି। ସାରା ବିଶ୍ବରେ କରୋନାକୁ ନେଇ ଏକପ୍ରକାର କୋକୁଆ ଭୟ ଉପୁଜିଛି।
କରୋନାକୁ ନେଇ ଭାରତରେ ମଧ୍ୟ କିଛି କମ୍ ତତ୍ପରତା ଦେଖିବାକୁ ମିଳିନି। କରୋନାର ପ୍ରଭାବକୁ ଦେଖି କେହି କେହି ଏହା ବିଶ୍ବଧ୍ବଂସର ଆଭାସ ବୋଲି ଅଭିହିତ କରୁଥିବା ବେଳେ, ଏହାକୁ ଈଶ୍ବରଙ୍କ ଅଭିଶାପ ବୋଲି ଥୋକେ କହି ବୁଲୁଛନ୍ତି। କରୋନା ବିଲୋପ ପାଇଁ ବିଭିନ୍ନ ଧର୍ମାଧୀଶମାନେ ପ୍ରାର୍ଥନା କରୁଛନ୍ତି, ସରକାର ବାହାଦୂରମାନେ ପ୍ରତିଷେଧକମୂଳକ ପଦକ୍ଷେପ ନେଉଛନ୍ତି, ବୈଜ୍ଞାନିକମାନେ ଏଥକୁ ରକ୍ଷା ପାଇବାର ଉପାୟ ସନ୍ଧାନରେ ମାତିଛନ୍ତି, କରୋନା ଭୂତାଣୁ କିଭଳି ବିଶ୍ବରୁ ସମୂଳେ ନାଶ ଯିବ ସେ ନେଇ ଚିକିତ୍ସକମାନେ ଦିନରାତି ଏକ କରି ପକାଇଛନ୍ତି।
ତେବେ ସତରେ କ’ଣ କରୋନା ମଣିଷ ସମାଜ ପାଇଁ ଏତେ ବଡ଼ ବିପଦ ହୋଇ ଠିଆ ହୋଇଛି?
କରୋନା ଯେ ଅନ୍ୟ ମାହାମରୀ ଭଳି ଏକ ବିପଦଜନକ ଜୀବନଧ୍ବଂସକାରୀ ଭୂତାଣୁବାହୀ ରୋଗ, ଏଥିରେ ଦ୍ବିମତ ନାହିଁ। ତେବେ କରୋନା ଠାରୁ ଅଧିକ ବିଶାଳ, ଅଧିକ ଜୀବନନାଶକାରୀ ତତ୍ତ୍ବ ଭାବେ ଆଉ ଏକ ସାମାଜିକ ଭୂତାଣୁ ବର୍ଷ ବର୍ଷ ଧରି ମଣିଷ ସମାଜର କ୍ଷୟ କରିଚାଲିଛି, ସେ ପ୍ରତି କାହାର ନିଘା ନାହିଁ। ହଁ ଖାଦ୍ୟାଭାବ, ଅନାହାର ବା ପ୍ରତୀକାତ୍ମକ ଭାବେ ଆମେ ତାକୁ ଭୋକର ଭୂତାଣୁ ମଧ୍ୟ କହିପାରିବା। ନଗଡ଼ାରୁ ନାଇଜେରିଆ ଯାଏଁ ଏ ଭୂତାଣୁ ସଂଚରିଯାଇଛି।
ଭୋକରେ ପ୍ରତିଟି ମୁହୂର୍ତ୍ତରେ ଏ ଧରାପୃଷ୍ଠରେ କେତୋଟି ଜୀବନ ଯାଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଆପଣଙ୍କୁ ଏ କଥା ଅବିଶ୍ବସନୀୟ ଲାଗିପାରେ, କିନ୍ତୁ ମହାମାରୀ କରୋନା ଭାଇରସ୍ ବିଗତ ଦେଢ଼ମାସ ଭିତରେ ଯେତିକ ଜୀବନ ନେଇଛି ଆଜି ସକାଳୁ ଏଯାବତ୍ ଅନାହାରରେ ତାହା ଠାରୁ ଢେର ଅଧିକ ଜୀବନ ଯାଇଛି। ଭାରତର ଦୈନିକ ଅନାହାର ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରାୟ ସେତିକି।
ତେବେ ଭୋକକୁ ନେଇ କାହିଁକି ଏତେ ନିରବତା? କ’ଣ ପାଇଁ ଭୋକର ଭୂତାଣୁକୁ ସମୂଳେ ନାଶ କରିବା ପାଇଁ ସରକାର ବା ବିଜ୍ଞାନୀମାନଙ୍କର ଆଗ୍ରହ ନାହିଁ?
ଏହାର ଉତ୍ତର ବେଶ୍ ସରଳ, ସଂକ୍ଷିପ୍ତ ଓ ସାଧାରଣ। ଭୋକର ଭୂତାଣୁ କୌଣସି ଧନୀ ଲୋକଙ୍କୁ ଗ୍ରାସ କରେନାହିଁ। ଧନୀଙ୍କ କଥା ଛାଡ଼ନ୍ତୁ, ସାମାନ୍ୟ ନିମ୍ନ ମଧ୍ୟବିତ୍ତ ଲୋକଟିଏ ମଧ୍ୟ ଭୋକର ଦାଉରେ ପଡ଼ିବାର ସମ୍ଭାବନା କମ। ତେବେ କରୋନା-ଜାତୀୟ ମହାମାରୀ ଜୀବନ ନେବା ବେଳେ ଧନୀ-ଗରିବ ଦେଖି ନଥାଏ। ବରଂ ସାମାଜିକ ମିଳାମିଶା ଓ ଜୀବନଶୈଳୀ ଦୃଷ୍ଟିରୁ ଧନୀକମାନେ ହିଁ ଏଭଳି ମହାମାରୀ ଦ୍ବାରା ବେଶି ଆକ୍ରାନ୍ତ ହେଉଛନ୍ତି।
ବିଶ୍ବରେ ସର୍ବାଧିକ ମୃତ୍ୟୁ ଅନାହାର ଯୋଗୁଁ ହୋଇଥାଏ। କିନ୍ତୁ ଦୁଃଖ, ଏଯାବତ୍ ଭୋକକୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ଦିଆଯାଉନାହିଁ।
ଭୋକର ଭାଗମାପ
୨୦୨୦ ନୂଆ ବର୍ଷ ଠାରୁ ଆଜି ଯାଏଁ ପ୍ରାୟ ଅଢ଼େଇ ମାସ ଭିତରେ ପୃଥିବୀ ପୃଷ୍ଠରେ ଭୋକରେ ଆଉଟୁ ପାଉଟୁ ହୋଇ ପ୍ରାୟ ୨୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ପ୍ରତି ମୁହୂର୍ତ୍ତରେ କେତେ ଲୋକ ଭୋକରେ ମରୁଛନ୍ତି ତାହାର ଏକ ତ୍ବରିତ ସୂଚନା ଜାଣିବା ପାଇଁ ଆପଣ ଓ୍ବାର୍ଲ୍ଡ କାଉଣ୍ଟ୍ସର ଏଇ ଲିଙ୍କ୍କୁ ଯାଇପାରିବେ। World Counts
ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ବର ସବୁଠୁ ବଡ଼ ମହାମାରୀ ହେଉଛି ଭୋକ, ଯାହା କେବଳ ଗରିବ ବା ଧନ-ହୀନ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ତଥ୍ୟ ଅନୁସାରେ ବିଶ୍ବରେ ପ୍ରତି ବର୍ଷ ୯୦ ଲକ୍ଷ ଲୋକ ଭୋକର ଦାଉରେ ମୃତ୍ୟୁବରଣ କରିଥାଆନ୍ତି। ପ୍ରତି ୧୦ ସେକେଣ୍ଡରେ ଜଣେ ଶିଶୁ ଅନାହାର ଓ କୁପୋଷଣ ଯୋଗୁଁ ପ୍ରାଣ ହରାଇଥାଏ। ଅର୍ଥାତ୍ ବର୍ଷକୁ ପ୍ରାୟ ୩୧ ଲକ୍ଷରୁ ଅଧିକ ଶିଶୁ ଠିକରେ ମୁଠାଏ ଦାନା ନ ପାଇ ଜୀବନ ହାରିଥାଆନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୬ ଲକ୍ଷ ଶିଶୁଙ୍କର ବୟସ ୫ ବର୍ଷରୁ କମ।
ବିଶ୍ବରେ ବର୍ତ୍ତମାନ ୮୨.୨ କୋଟି ବ୍ୟକ୍ତି (ଶିଶୁ ଓ ବୃଦ୍ଧଙ୍କ ସମେତ) କୁପୋଷଣ ଓ ଅନାହାରରେ ଶଢ଼ୁଛନ୍ତି। କେବଳ ଇଥିଓପିଆ, ନାଇଜେରିଆ, ମାଲି ଭଳି ଆଫ୍ରିକୀୟ ସବ୍ସାହାରା ଦେଶରେ ୨୪.୩ କୋଟି ବ୍ୟକ୍ତି ଅନାହାର ବା କୁପୋଷଣ ସହ ବଞ୍ଚୁଛନ୍ତି। ଆଶ୍ଚର୍ଯ୍ୟର କଥା ପ୍ରାଚୁର୍ଯ୍ୟରେ ଭରା ବିକାଶଶୀଳ ଦେଶଗୁଡ଼ିକରେ ଏମାନଙ୍କ ସଂଖ୍ୟା ସର୍ବାଧିକ। ଏସିଆରେ ସର୍ବାଧିକ ୫୨ କୋଟି ବ୍ୟକ୍ତି ଅନାହାର ଓ କୁପୋଷଣ ସହ ଜୁଝୁଛନ୍ତି।
ଭୋକର ଭୂଗୋଳ ଭାରତ
ବିଶ୍ବର ପ୍ରାୟ ଏକ ତୃତୀୟାଂଶ ଭୋକିଲା ବ୍ୟକ୍ତି ଭାରତରେ ରହନ୍ତି। ଏଠାରେ ୮୪ କୋଟି ଲୋକ ଦିନକୁ ୨୦ ଟଙ୍କାରୁ କମ ବ୍ୟୟରେ ଚଳିଥାଆନ୍ତି। ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ରାତି ବେଳା କିଛି ଖାଇ ନଥାନ୍ତି। ଭାରତରେ ପ୍ରାୟ ୮ କୋଟି ୫ ବର୍ଷରୁ କମ ବୟସର ଶିଶୁ ଭୋକିଲା। ପ୍ରତିବର୍ଷ ଭାରତରେ ୨୫ ଲକ୍ଷ ଲୋକ ଅନାହାରରେ ମୃତ୍ୟୁବରଣ କରନ୍ତି। ପ୍ରତିଦିନ ଭାରତରେ ଅନାହାରରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ୭୦୦୦। ପ୍ରାୟ ୧ କୋଟି ଲୋକ ଅନାହାର, କୁପୋଷଣ ବା ଏହା ଯୋଗୁଁ ହେଉଥିବା ରୋଗରେ ପ୍ରାଣ ହରାଇଥାଆନ୍ତି।
ଏଇଠି ଏଇ କୁପୋଷଣ ବାବଦରେ ଟିକେ ସ୍ପଷ୍ଟ କରିଦିଏ। କୁପୋଷଣ ଅର୍ଥ ଆଦୌ ଏହା ନୁହେଁ ଯେ, “ସେମାନେ ଖାଦ୍ୟ ଖାଇବାକୁ ପାଉଛନ୍ତି, କିନ୍ତୁ ଉଚିତ ଭାଗମାପର ପୋଷଣ ପାଉନାହାନ୍ତି।” ବରଂ ଖାଦ୍ୟ ଅଭାବରୁ ସେମାନେ ପେଟ ବିକଳରେ ଏଭଳି ସବୁ ଅଖାଦ୍ୟ ବା ନିମ୍ନମାନର ଖାଦ୍ୟକୁ ବାଧ୍ୟ ହୋଇ ଉଦରସ୍ଥ କରନ୍ତି, ଯେଉଁଥିରେ ସାମୟିକ ଭାବେ କିଛିଟା ପେଟ ପୂରିଯାଏ ସତ, ମାତ୍ର ଶରୀରକୁ ଶକ୍ତି ଯୋଗାଇବା ଭଳି କୌଣସି ଉପାଦାନ ମିଳେନା। ଫଳରେ ସେମାନଙ୍କ ଶାରିରୀକ ଓ ମାନସିକ ଅଭିବୃଦ୍ଧି ହୋଇନଥାଏ, ଶରୀର ଉଚ୍ଚତା ତୁଳନାରେ ଓଜନ୍ ବହୁତ କମ ହୋଇଥାଏ ଏବଂ ଏହା ବାରମ୍ବାର ଲାଗିରହିଲେ ଶେଷରେ ମୃତ୍ୟୁ ହୋଇଥାଏ।
କରୋନାରୁ ଶିକ୍ଷା
କରୋନାର ଭୟାବହତାକୁ ତଳେଇ ଦେଖାଇବା ମୋର ଉଦ୍ଦେଶ୍ୟ ନୁହେଁ। କରୋନା ନିଶ୍ଚିତ ଭାବେ ଏକ ଜୀବନଖାଦକ ମହାମାରୀ। କିନ୍ତୁ ଏହା ଏକ ଅବସର ଆଣିଛି, ଯେଉଁଠି ଆମେ ଭୋକରେ ଆଉଟୁପାଉଟୁ କୋଟି କୋଟି ନିରନ୍ନ ଜନତାଙ୍କ କଥା ଭାବିପାରିବା। କରୋନା ଠାରୁ ଅଧିକ ବଡ଼ ମହାମାରୀ ଆସିଛି ଓ ଯାଇଛି। ମଣିଷ ସମାଜ ନିଜର ବୁଦ୍ଧି ଓ ବିବେକ ବଳରେ ସବୁକୁ ନିୟନ୍ତ୍ରଣ କରିପାରିଛି। ୨୦୧୪-୧୬ରେ ଇବୋଲାରେ ୧୧,୦୦୦ ଲୋକ ପ୍ରାଣ ହରାଇଥିଲେ। ତାହା ପୂର୍ବରୁ ସ୍ବାଇନ୍ ଫ୍ଲୁରେ ୨ ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା। ୧୮୮୫ରେ ପ୍ଲେଗ୍ ଯୋଗୁଁ ଭାରତ ଓ ଚୀନରେ ୧ କୋଟି ୨୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ତେବେ ଏ ସମସ୍ତ ଅଙ୍କ ଠାରୁ ବହୁ ଅଧିକ ଲୋକଙ୍କର ମୃତ୍ୟୁ ଭୋକରେ ହେଉଛି।
ସଂପନ୍ନ ଲୋକମାନଙ୍କ ପାଖରେ ପର୍ଯ୍ୟାପ୍ତରୁ ଆହୁରି ଅଧିକ ଖାଦ୍ୟ ଥିବା ବେଳେ ବିଶ୍ବର ଏକ ବଡ଼ ଭାଗ ଜନତା ଦିନକୁ ଦୁଇ ଓଳି ମୁଠାଏ ପେଟପୂରା ଖାଦ୍ୟ ପାଉନାହାନ୍ତି। ଏ ବିସଂଗତି, ଏ ପାତରଅନ୍ତର ବିଷୟରେ ଭାବିବାର ସମୟ ଆସିଛି। ସରକାର, ବିଭିନ୍ନ ସଂଗଠନ ପକ୍ଷରୁ ଅନାହାରକୁ ଅଟକାଇବା ପାଇଁ ଉଦ୍ୟମ ହେଉଛି ଅବଶ୍ୟ। କିନ୍ତୁ, ଏଥିରେ ଧନୀକ ସଂପ୍ରଦାୟର କାଣିଚାଏ ବି କ୍ଷତି ହେଉନଥିବାରୁ ସେ ଉଦ୍ୟମ ସେତେ ପ୍ରଭାବୀ ମନେ ହେଉନାହିଁ।
Comments are closed.