କରୋନା: ”ନିଜ ପୁଅ ବୋଲି ଲୁଚେଇଥିଲେ AIIMS ସୁପରିଟେଣ୍ଡେଣ୍ଟ୍”

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଡାକ୍ତଖାନା ପରିସରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାଇ ପ୍ରୋଫାଇଲ୍ କେସ୍ କହି ଏହି ରୋଗୀଙ୍କ ବାବଦରେ କାହାରିକୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ରୋଗୀ ଜଣକ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ପୁଅ ବୋଲି ଅଭିଯୋଗ କରିଛି ରେସିଡେଣ୍ଟ୍ ଡାକ୍ତର ସଂଘ।
ଗତକାଲି ଦିବସ ବ୍ୟାପୀ ବହୁ ଡାକ୍ତର ଓ କର୍ମଚାରୀ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ରାତିରେ କରୋନା ଆକ୍ରାନ୍ତ ନିଶ୍ଚିତ ହେବା ପରେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଛନକା ଖେଳିଛି। ଘରେ ସଙ୍ଗରୋଧ (ହୋମ୍ କ୍ବାରାଣ୍ଟିନ୍)ରେ ରହିବା ପାଇଁ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏମ୍ସ ସୁପରିଟେଣ୍ଡେଣ୍ଟଙ୍କ ଅବହେଳା ପାଇଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।
ଓଡ଼ିଶାରେ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ବିତୀୟ କୋରାନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବକ ଜଣକର ବୟସ ୧୯ ବର୍ଷ। ସେ ଏମ୍ସର ଜଣେ ବରିଷ୍ଠ ପଦାଧିକାରୀଙ୍କ ପୁତ୍ର। ଲଣ୍ଡନରେ ପାଠ ପଢ଼ୁଥିବା ଯୁବକ ଜଣକ ୩ ଦିନ ତଳେ ଓଡ଼ିଶା ଫେରିଥିଲେ।
ଗତକାଲି ସକାଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଏହାକୁ ହାଇ ପ୍ରୋଫାଇଲ୍ କେସ୍ କହି କାହାରିକୁ ଏ ନେଇ ତଥ୍ୟ ଦିଆ ଯାଇନଥିଲା। ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ରୋଗୀ ବାବଦରେ ବିଶେଷ ତଥ୍ୟ ପାଇ ନଥିଲେ। ଦିନ ୧୧ଟାରେ ଯୁବକଙ୍କୁ ଏମ୍ସର ଆଇସୋଲେସନ୍ ଓ୍ବାର୍ଡକୁ ଆଣି ଡାକ୍ତରଙ୍କ କୋଠରୀରେ ରଖାଯାଇଥିଲା।
ରାତି ୧୦ଟା ପରେ ତାଙ୍କ ଠାରେ କରୋନା ଥିବା ନିଶ୍ଚିତ ହୋଇଥିଲା। ଏ ଭିତରେ ତାଙ୍କ ସଂସ୍ପର୍ଶରେ ବହୁ ଡାକ୍ତର ଓ କର୍ମଚାରୀ ଆସିଥିଲେ। ସେମାନେ ଏବେ ଆତଙ୍କିତ ଅଅବସ୍ଥାରେ ଅଛନ୍ତି।
ଏମ୍ସ ଭୁବନେଶ୍ବର ନିର୍ଦ୍ଦେଶକଙ୍କୁ ଏକ ପତ୍ରରେ ରେସିଡେଣ୍ଟ୍ ଡାକ୍ତ ସଂଘ ପକ୍ଷରୁ କୁହାଯାଇଛି ଯେ ମେଡିକାଲ ସୁପରିଟେଣ୍ଡେଣ୍ଟ ଓ ଆଇସୋଲେସନ୍ ଓ୍ବାର୍ଡ ଇନ୍-ଚାର୍ଜଙ୍କ ଅବହେଳାକୁ ଦାୟୀ କରାଯାଇଛି। ରୋଗୀ ମେଡିକାଲ ସୁପରିଟେଣ୍ଡେଣ୍ଟ୍ଙ୍କର ନିଜ ପୁଅ ହୋଇଥିଲେ ବି ଏ ନେଇ କାହାକୁ ନଜଣାଇବା କୋଭିଡ୍-୧୯ ସଂକ୍ରମଣ ଆଶଙ୍କାକୁ ବଢ଼ାଇଛି ବୋଲି ରେସିଡେଣ୍ଟ୍ ଡାକ୍ତରମାନା ଲେଖିଛନ୍ତି। ଆମକୁ ଆମ ନିଜ ଲୋକ ଧୋକା ଦେଇଛନ୍ତି ବୋଲି ସଂଘ ପତ୍ରରେ ଉଲ୍ଲେଖ କରିଛି।
ଅନ୍ୟପଟେ ସୁପରିଟେଣ୍ଡେଣ୍ଟ୍ ଜଣକ ରହୁଥିବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସ (ସମ୍ ହସ୍ପିଟାଲ ପାଖ)ରେ ମଧ୍ୟ ରୋଗୀ ଜଣକ ତିନି ଦିନ ଧରି ବିନା କ୍ବାରାଣ୍ଟିନ୍ରେ ଥିବାରୁ ଅଧିବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।