Odisha Link
Bridging the Missing Links in Odisha

ଆଇନର ଗଳାବାଟ ବନ୍ଦ ହେଲେ ପୀଡିତାଙ୍କୁୁ ମିଳିପାରିବ ନ୍ୟାୟ : ମହିଳାମୋର୍ଚ୍ଚା

ଭୁବନେଶ୍ୱର : ଆଜି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଦିନ । ବିଳମ୍ବ ହେଲେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ବିଶ୍ୱାସ ରଖିଥିବା ଆମ ସମସ୍ତଙ୍କୁ ନ୍ୟାୟ ମିଳିଛି ଏବଂ ନିର୍ଭୟା ଦୋଷୀ ମାନଙ୍କୁ ଫାଶୀ ମିଳିଛି । ଗଣତନ୍ତ୍ରର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡା କହିଛନ୍ତି ।

ପରିଡା କହିଛନ୍ତି ଯେ, ନିର୍ଭୟା କେସରେ ସୁପ୍ରିମକୋର୍ଟ ରାୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ନିର୍ଭୟାଙ୍କ ପିତା ମାତା ଏବଂ ପରିବାର ଲୋକଙ୍କୁ ଆଜି ନ୍ୟାୟ ମିଳିଛି । ନିର୍ଭୟା ପରିବାର ୭ ବର୍ଷ ଧରି ନ୍ୟାୟ ପାଇବା ପାଇଁ ଯେପରି ଲଢେଇ କରିଥିଲେ ତାହା ସମସ୍ତଙ୍କୁ ଏକ ପ୍ରେରଣା ଯୋଗାଇବ । ଆଜି ସତ୍ୟର ବିଜୟ ହୋଇଛି ।

ଏହି ଦଣ୍ଡ ବିଧାନରୁ ଅନ୍ୟ ଦୁଷ୍କର୍ମକାରୀମାନେ ସତର୍କ ହେବେ ଏବଂ ଏପରି ହୀନ କାର୍ଯ୍ୟ କରିବାରୁ ଦୂରେଇ ରହିବେ । ପୋଲିସ ଏବଂ ଆଇନ ବ୍ୟବସ୍ଥାରେ କିଛି ତ୍ରୁଟି ଅବା ଗଳାବାଟ ଥିବାରୁ ଅପରାଧୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ୭ ବର୍ଷ ସମୟ ଲାଗିଗଲା ।

ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ତୁରନ୍ତ ସଜ୍ଜା ଶୁଣାଇବା ପାଇଁ ନୂଆ ନିୟମ ଆଣିବା ଦରକାର । ଯେଉଁପରିି ନିର୍ଭୟା କେସ୍‌ରେ ଅଭିଯୁକ୍ତମାନଙ୍କୁ ଫାଶୀ ମିଳିଛି, ଠିକ୍‌ ସେହିପରି ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ପୋକସୋ ଆକ୍ଟ ଆଧାରରେ ଫାଶୀ ଦିଆଯାଉ ବୋଲି ପରିଡା ଦାବି କରିଛନ୍ତି ।

ମହିଳାଙ୍କ ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ପାଇଁ ଆଜି ଗୋଟିଏ ବଡ ଦିନ ଅଟେ । ଆଇନର ଗଳାବାଟ ବନ୍ଦ ହେଲେ ନିର୍ଭୟା ପରି ରାଜ୍ୟରେ ଇତିଶ୍ରୀ,ବେବିନା, କୁନ୍ଦୁଳି ପିଡୀତା ଭଳି ଅନେକ ପୀଡିତାଙ୍କୁୁ ତ୍ୱରିତ ନ୍ୟାୟ ମିଳିପାରିବ ।

ରାଜ୍ୟରେ ଯେଉଁ ପୀଡିତାମାନେ ନିଜ କେସ ଲଢିବା ପାଇଁ ସମର୍ଥ ନଥିବେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତାପାର୍ଟିର ମହିଳାମୋର୍ଚ୍ଚା ବିନା ପାରିଶ୍ରମିକରେ ଓକିଲ ସାଜି କେସ୍ ଲଢିବେ ବୋଲି ପରିଡା କହିଛନ୍ତି । ଏହି ଅବସରରେ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏବଂ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.