Odisha Link
Bridging the Missing Links in Odisha

ଭୁବନେଶ୍ବର AIIMSରେ ଛନକା: ନିର୍ଦ୍ଦେଶକ, ଡାକ୍ତରଙ୍କ ସମେତ ଶତାଧିକ କରୋନା ଆକ୍ରାନ୍ତ ଆଶଙ୍କା

ଭୁବନେଶ୍ବର: ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଡାକ୍ତଖାନା ପରିସରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାଇ ପ୍ରୋଫାଇଲ୍‌ କେସ୍‌ କହି ଏହି ରୋଗୀଙ୍କ ବାବଦରେ କାହାରିକୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଗତକାଲି ଦିବସ ବ୍ୟାପୀ ବହୁ ଡାକ୍ତର ଓ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ରାତିରେ କରୋନା ଆକ୍ରାନ୍ତ ନିଶ୍ଚିତ ହେବା ପରେ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଛନକା ଖେଳିଛି। ଘରେ ସଙ୍ଗରୋଧ (ହୋମ୍‌ କ୍ବାରାଣ୍ଟିନ୍‌)ରେ ରହିବା ପାଇଁ ରେସିଡେଣ୍ଟ୍‌ ଡାକ୍ତର ଆସୋସିଏସନ୍‌ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏମ୍‌ସ ସୁପରିଟେଣ୍ଡେଣ୍ଟଙ୍କ ଅବହେଳା ପାଇଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।

ଓଡ଼ିଶାରେ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ବିତୀୟ କୋରାନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବକ ଜଣକର ବୟସ ୧୯ ବର୍ଷ। ସେ ଏମ୍‌ସର ଜଣେ ବରିଷ୍ଠ ପଦାଧିକାରୀଙ୍କ ପୁତ୍ର। ଲଣ୍ଡନରେ ପାଠ ପଢ଼ୁଥିବା ଯୁବକ ଜଣକ ୩ ଦିନ ତଳେ ଓଡ଼ିଶା ଫେରିଥିଲେ।

ଗତକାଲି ସକାଳେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ଏହାକୁ ହାଇ ପ୍ରୋଫାଇଲ୍‌ କେସ୍‌ କହି କାହାରିକୁ ଏ ନେଇ ତଥ୍ୟ ଦିଆ ଯାଇନଥିଲା। ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ରୋଗୀ ବାବଦରେ ବିଶେଷ ତଥ୍ୟ ପାଇ ନଥିଲେ। ଦିନ ୧୧ଟାରେ ଯୁବକଙ୍କୁ ଏମ୍‌ସର ଆଇସୋଲେସନ୍‌ ଓ୍ବାର୍ଡକୁ ଆଣି ଡାକ୍ତରଙ୍କ କୋଠରୀରେ ରଖାଯାଇଥିଲା।

ରାତି ୧୦ଟା ପରେ ତାଙ୍କ ଠାରେ କରୋନା ଥିବା ନିଶ୍ଚିତ ହୋଇଥିଲା। ଏ ଭିତରେ ତାଙ୍କ ସଂସ୍ପର୍ଶରେ ବହୁ ଡାକ୍ତର ଓ କର୍ମଚାରୀ ଆସିଥିଲେ। ସେମାନେ ଏବେ ଆତଙ୍କିତ ଅଅବସ୍ଥାରେ ଅଛନ୍ତି।

ଜେନେରାଲ୍‌ ମେଡିସିନ୍‌ ବିଭାଗର ରେସିଡେଣ୍ଟ୍‌ ଡାକ୍ତର ବିଜ୍ଞାନ କେଶଣୀ କାପରଦାର ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ସେଲ୍‌ଫ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ଲେଖିଛନ୍ତି। ତାଙ୍କୁ ଓ ଅନ୍ୟ ଡାକ୍ତରମାନଙ୍କୁ ରୋଗୀ ସମ୍ବନ୍ଧରେ ସମସ୍ତ ତଥ୍ୟ ଲୁଚାଯାଇଥିବା ସେ ପତ୍ରରେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ପତ୍ରରେ ରେସିଡେଣ୍ଟ୍‌ ଡାକ୍ତ ସଂଘ ପକ୍ଷରୁ ମେଡିକାଲ ସୁପରିଟେଣ୍ଡେଣ୍ଟ ସଚିଦାନନ୍ଦ ମହାନ୍ତି ଓ ଆଇସୋଲେସନ୍‌ ଓ୍ବାର୍ଡ ଇନ୍-ଚାର୍ଜ ସୌରୀନ୍‌ ଭୂୟାଙ୍କ ଅବହେଳାକୁ ଦାୟୀ କରାଯାଇଛି। ରୋଗୀ ମେଡିକାଲ ସୁପରିଟେଣ୍ଡେଣ୍ଟ୍‌ ଶ୍ରୀ ମହାନ୍ତିଙ୍କର ନିଜ ପୁଅ ହୋଇଥିଲେ ବି ଏ ନେଇ କାହାକୁ ନଜଣାଇବା କୋଭିଡ୍-୧୯ ସଂକ୍ରମଣ ଆଶଙ୍କାକୁ ବଢ଼ାଇଛି ବୋଲି ରେସିଡେଣ୍ଟ୍‌ ଡାକ୍ତରମାନା ଲେଖିଛନ୍ତି।

ଅନ୍ୟପଟେ ବରିଷ୍ଠ ଅଧିକାରୀ ଜଣକ ରହୁଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ (ସମ୍‌ ହସ୍ପିଟାଲ ପାଖ)ରେ ମଧ୍ୟ ଯୁବକ ଜଣକ ତିନି ଦିନ ଧରି ବିନା କ୍ବାରାଣ୍ଟିନ୍‌ରେ ଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି।

Comments are closed.