Odisha Link
Bridging the Missing Links in Odisha

କିଏ ହାତେଇବ ବ୍ରହ୍ମପୁର ଲୋକସଭା ଆସନ?

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ଏହି କ୍ରମରେ ସବୁଠାରୁ ରୋଚକ ଲଢେଇ ବ୍ରହ୍ମପୁର ଲୋକସଭା ଆସନରେ ହେବ ବୋଲି ଆକଳନ କରାଯାଉଛି।

ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି। ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବ୍ରହ୍ମପୁର ପାଇଁ ବିଜେଡ଼ିର ସେନାପତି ପାଲଟିଥିଲେ। ଦଳର ରଣନୀତି ଠାରୁ ଆରମ୍ଭ କରି ଦୋଷ ଦୁର୍ବଳତା ସବୁ ବିଷୟରେ ବେଶ୍ ଅବଗତ ପ୍ରଦୀପ। ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର ୫ ଓ ଗଜପତିର ୨ଟି ବିଧାନସଭା ଆସନରେ ପାଣିଗ୍ରାହୀଙ୍କର ଭଲ ଲୋକସଂପର୍କ ଓ ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି।

ସେହିଭଳି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଗତ ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇଙ୍କ ବିରୋଧରେ ଲଢି ୩ ଲକ୍ଷରୁ ଅଧିକ ଭୋଟ ହାତେଇଥିଲେ। ସେହିଭଳି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ। ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ତେବେ ଏଥର ବ୍ରହ୍ମପୁର ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.