Odisha Link
Bridging the Missing Links in Odisha

ହାତୀ ବୁଡ଼ିଯାଉଛି, ଛେଳି ପଚାରୁଛି ପାଣି କେତେ

ଶୁଭ୍ରାଂଶୁ ପଣ୍ଡା

ଗତକାଲି ସୁବ୍ରତ ବାଗ୍‌ଚୀ କହିଥିଲେ- ହାତୀ ବୁଡ଼ିଯାଉଛି, ହେଲେ ଛେଳି ପଚାରୁଛି ପାଣି କେତେ। କରୋନା ଭୂତାଣୁର ଭୟାବହତା ନେଇ ଓଡ଼ିଶା କରୋନା ମୁକାବିଲା ମୁଖପାତ୍ର ଶ୍ରୀ ବାଗ୍‌ଚୀ ହାତୀ ଆଉ ଛେଳିର ଉଦାହରଣ ଦେଇ ତଥାକଥିତ ବୁଦ୍ଧିମାନ ମଣିଷର ବୋକାମୀ କଥା ବଖାଣିଥିଲେ। ହେଲେ ସେଇ ସମାନ ବୋକାମୀ କରି ବସିଛନ୍ତି ବରିଷ୍ଠ ପ୍ରଶାସକ ଭିନୀଲ କ୍ରିଷ୍ଣା।

ବ୍ରିଟେନ୍‌ର ଯୁବରାଜ ପ୍ରିନ୍ସ ଚାର୍ଲସ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଓ ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ ନାଦିନ୍‌ ଡୋରିସ୍‌ କରୋନାରେ ଆକ୍ରାନ୍ତ ହେବା ପରେ ସରକାରରେ ଓ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ବ୍ୟକ୍ତି ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି। ଆତ୍ମସଚେତନତା କରୋନା ହଟାଇବାର ଏକମାତ୍ର ଉପାୟ ବୋଲି ଆମ ସରକାର ପ୍ରଚାର କରୁଥିବା ବେଳେ ଆମ ସରକାରୀ ବାବୁ ଭିନୀଲ କ୍ରିଷ୍ଣା କିନ୍ତୁ ଏହାକୁ ମାନୁନାହାନ୍ତି। ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା ହେବା ପରେ ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସଫେଇ ରଖିଛନ୍ତି ଭିନୀଲ।

ଚଳିତ ମାସ ୧୭ ତାରିଖରେ ଭିନୀଲ ଏକ ଭିଡିଓ ବାର୍ତ୍ତା ଛାଡ଼ିଥିଲେ। ସେ ବିଦେଶରୁ ଫେରିଛନ୍ତି ଓ ସରକାରୀ ନିୟମ ମାନି ନିଜକୁ ପଞ୍ଜିକୃତ କରିବା ସହ ମାର୍ଚ୍ଚ ୧୬ ଠାରୁ ୧୪ ଦିନ ଘରେ ଆଇସୋଲେସନରେ ରହିବେ ବୋଲି ଭିନୀଲ ଘୋଷଣା କରିଥିଲେ। ତେବେ ଏହାର ୧୦ ଦିନ ନ ପୂରୁଣୁ ଗତକାଲି ଭିନୀଲଙ‌କୁ ସଚିବାଳୟରେ ଦେଖିବାକୁ ମିଳିଛି। କେବଳ ସେ ସଚିବାଳୟ ଆସିଛନ୍ତି ତାହା ନୁହେଁ, ବରଂ ଏକ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି, ଯେଉଁଠି ଅନ୍ୟୁନ ୧୦ରୁ ଅଧିକ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି।

ଏ ନେଇ ସମାଲୋଚନା ହେବା ପରେ ଆଜି ଟ୍ବିଟର୍‌ରେ ସଫେଇ ରଖିଛନ୍ତି ଭିନୀଲ। ୧୬ରେ ନୁହେଁ ବରଂ ସେ ମାର୍ଚ୍ଚ ୧୦ ତାରିଖରେ ବିଦେଶରୁ ଫେରିଥିଲେ ଓ ସେବେଠାରୁ ହିସାବ କଲେ ୨୪ରେ ତାଙ୍କର କ୍ବାରାଣ୍ଟିନ୍‌ ପିରିଅଡ୍‌ ଶେଷହେଉଛି। ୨୪ ପରେ ସେ କାର୍ଯ୍ୟରେ ଯୋଗ ଦେଇଥିବାରୁ କୌଣସି ବିପଦ ନାହିଁ ବୋଲି ସଫେଇ ଦେଇଛନ୍ତି ଭିନୀଲ।

କିନ୍ତୁ ଓଡ଼ିଶାର ସଦ୍ୟତମ କରୋନା ଆକ୍ରାନ୍ତଙ୍କ କାହାଣୀ ଭିନୀଲଙ୍କର ଏ ଗାଣିତିକ ସୂତ୍ରକୁ ଓଲଟପାଲଟ କରିଦେଇଛି। ଗତକାଲି ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ସେଇ ମାର୍ଚ୍ଚ ୧୦ ତାରିଖରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ। ଏହାର ୧୬ ଦିନ ପରେ ଗତକାଲି ତାଙ୍କଠାରେ କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ ହୋଇଛି। ଆମେ ପ୍ରାର୍ଥନା କରୁଛୁ ଓ ଆଶା କରୁଛୁ, ଭିନୀଲ ସେଭଳି ମାରାତ୍ମକ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ନଥିବେ। କିନ୍ତୁ ସେ କରୋନା ପରୀକ୍ଷା କରିଥିବା ବା ଭୂତାଣୁ ନାହିଁ ବୋଲି ଡାକ୍ତରଙ୍କ ଠାରୁ ସବୁଜ ସଙ୍କେତ ପାଇଥିବା ନେଇ ଏଯାଏଁ ସ୍ପଷ୍ଟ କରିନାହାନ୍ତି।

ଭିନୀଲ ସରକାରଙ୍କର ଜଣେ ଦକ୍ଷ ଅଫିସର। ବହୁ ବ୍ୟତିକ୍ରମ ଘଡ଼ିରେ କାର୍ଯ୍ୟ ସମ୍ପାଦନ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ସେ ଯେ ଘରେ ବସିରହିବା ଅପେକ୍ଷା ରାଜକାର୍ଯ୍ୟରେ ଯୋଗଦେବାକୁ ବ୍ୟଗ୍ର, ଏ କଥା ମଧ୍ୟ ଆମେ ବୁଝିପାରୁଛୁ। କିନ୍ତୁ, ଚଳିତ ମାମଲାରେ ତାଙ୍କର କାର୍ଯ୍ୟଦକ୍ଷତା ଅପେକ୍ଷା ସଚେତନତା ସମାଜ ପାଇଁ ଅଧିକ ଶୁଭଙ୍କର ହୋଇଥାଆନ୍ତା।

ସାଧାରଣ ଜନତାଙ୍କୁ ସହଯୋଗ କରିବା ପାଇଁ ସରକାରୀ କଳ ବାରମ୍ବାର ସଚେତନ କରୁଥିବା ବେଳେ ସରକାରୀ କଳ ଭିତରେ ଥିବା ବ୍ୟକ୍ତି ଯଦି ଖାମଖିଆଲ ମନଭାବ ପୋଷଣ କରିବେ ତେବେ କହିବା କାହାକୁ?

Comments are closed.