କରୋନା: ୭ଦିନରେ ସୁସ୍ଥ ହେଲେ ବ୍ରିଟେନ ଯୁବରାଜ ପ୍ରିନ୍ସ ଚାର୍ଲସ

ଲଣ୍ଡନ: ମହାମାରୀ କରେନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି। ସେ ସଂକ୍ରମିତ ହେବାର ୭ଦିନ ପରେ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି। କରୋନାରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ। ଏବେ କିନ୍ତୁ ସେ ସୁସ୍ଥ ହୋଇ ଆଇସୋଲେସନରୁ ବାହାରିଛନ୍ତି।
ରୟାଲ ପରିବାରର ମୁଖପାତ୍ର କହିଛନ୍ତି, ୭ ଦିନ ତଳେ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ସ୍କଟଲ୍ୟାଣ୍ଡ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଥିଲେ। ହେଲେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଶେଷରେ ସେ ଆରୋଗ୍ୟ ଲାଭ କରିଛନ୍ତି ବୋଲି ମୁଖପାତ୍ର କହିଛନ୍ତି।
ଅପରପକ୍ଷେେ ବକିଙ୍ଗହାମ୍ ରାଜପ୍ରାସାଦର ଜଣେ କର୍ମଚାରୀ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ସେଠାରୁ ଅନ୍ୟତ୍ର ଚାଲିଯାଇଛନ୍ତି। ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ୯୩ ବର୍ଷୀୟା ରାଣୀଙ୍କୁ ଗୁରୁବାର ଦିନ ୱିଣ୍ଡସର କ୍ୟାସେଲକୁ ସ୍ଥାନାନ୍ତର କରାଯାଇଛି। ରାଣୀ ସେଠାରେ ଅନିର୍ଦ୍ଦିଷ୍ଟ କାଳଯାଏଁ ରହିବେ ବୋଲି ସୂଚନା ରହିଛି।