Odisha Link
Bridging the Missing Links in Odisha

ଲକଡାଉନ: ଜମୁଛି ଚୋରା ମଦ କାରବାର

ଭୁବନେଶ୍ବର: ସାରା ଦେଶ ଏବେ ଲକଡାଉନ। ଏହି ଲକଡାଉନକୁ କଡାକଡି କରୁଛି ପୋଲିସ୍। ଏହି ସମୟରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ମଦ ଦୋକାନ ଲକଡାଉନ ସମୟରେ ବନ୍ଦ ରହିଛି। ହେଲେ ମଦ ଦୋକାନ ବନ୍ଦ ଥିବାବେଳେ ଏବେ ଚୋରା ମଦ କାରବାର ବଢ଼ିଥିବାର ଦେଖିବାକୁ ମିଳିଛି। ପୋଲିସ୍‌ ଭୟରେ ବଜାର ହାଟରେ ଗହଳି ଦେଖାଯାଉନାହିଁ ହେଲେ ସନ୍ଧ୍ୟା ହେଲେ ସ୍କୁଲ ପଡ଼ିଆ, ଗାଁ ଛକ ପ୍ରଭୃତି ସ୍ଥାନରେ ଜମିଜାଉଛି ମଦ୍ୟପ ମାନଙ୍କର ଆସର।

କିଛି ବେପାରୀ ମଦର କଳାବଜାରୀ କରୁଥିବାବେଳେ ଆଉ କିଛି ନକଲି ମଦକୁ ଅସଲି ମୂଲ୍ୟରେ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସ୍ଥିତି ଏମିତି ହୋଇଛି ଯେ ଝାଡ଼ଖଣ୍ଡ ସୀମାନ୍ତରୁ ଓଡିଶାକୁ ମଦ ଆସୁଛି। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସୀମାନ୍ତ ଅଙ୍କୁରପାଲି କାରିଛପାଲରୁ ବିପୁଳ ଦେଶୀ ମଦ ଆସୁଥିବାର ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା।ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉଦିତନଗର ମୁନିସିପାଲଟି ଛକରେ ଏକ ଇଣ୍ଡିଗୋ କାରରୁ ୬୪୦ ଲିଟର ନକଲି ମଦ ଜବତ କରାଯାଇଥିଲା। ତେବେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସେହିପରି ଖୋର୍ଦ୍ଧା ପୁଲିସକୁ ମଧ୍ୟ ବଡ଼ ସଫଳତା। ଟାଙ୍ଗୀ ଓ ଜଙ୍କିଆରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଜଙ୍କିଆ ନିକଟରୁ ୧ ହଜାର ୧୨୭ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ୨ ଟି ଗାଡ଼ି ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍। ସେହିପରି ଟାଙ୍ଗୀରୁ ୧୩୫ ଲିଟର ଚୋରାମଦ ଜବତ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି।

Comments are closed.